Thu. Sep 24th, 2026

ମେଘାଳୟରେ ଓଡ଼ିଶା ଅଗ୍ନିଶମ କର୍ମଚାରୀଙ୍କୁ ଢେଲାମାଡ଼

209 Views

ଭୁବନେଶ୍ୱର, ଜାନୁଆରୀ ୧୧ : ମେଘାଳୟର କୋଇଲା ଖଣି (ଇଷ୍ଟଜୟନ୍ତିଆ ହିଲ୍‌)ରେ ଫସିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର ଟିମ୍‌ ଉପରେ ଆଜି ରାତିରେ ଅତର୍କିତ ଆକ୍ରମଣ ହୋଇଛି। ରାତି ପ୍ରାୟ ୯ଟା‌ରେ ଘଟଣାସ୍ଥଳରୁ ଏକ ଘରୋଇ ବସ୍‌ (ଡାଲ୍‌ମିଆ)‌ରେ ଫେରୁଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ ହୋଇଥିଲା।

ଦୁର୍ବୃତ୍ତମାନେ ଅତିର୍କିତ ଭାବେ ଟେକାପଥର ଫିଙ୍ଗିବାରୁ ବସ୍‌ର କାଚ ଭାଙ୍ଗିଯିବା ସହ ତିନିଜଣ କର୍ମଚାରୀ ଆହତ ହୋଇଛନ୍ତି। ତେବେ କେଉଁ କାରଣ ପାଇଁ ଏଭଳି ଆକ୍ରମଣ ହେଲା, ତାହା ଜଣାପଡ଼ି ନାହିଁ। ଏଭଳି ଆକ୍ରମଣ‌ରେ ଆଗ୍ନିକମାନେ ଭୟଭୀତ ହୋଇ ପଡ଼ିଛନ୍ତି। ତେଣୁ ସେମାନେ ପୁଲିସ ସୁରକ୍ଷା ଲୋଡ଼ିଛନ୍ତି। ଅପରପକ୍ଷେ ଟେକାମାଡ଼ରେ ଗାଡ଼ିର କାଚ ଭାଙ୍ଗିଯିବାରୁ ପ୍ରବଳ ଶୀତ (୦ ଡିଗ୍ରି ସେଲସିୟସ୍‌)‌ରେ ପାଖାପାଖି ୫୦ କିଲୋମିଟର ଆସିବା ଏହି କର୍ମଚାରୀଙ୍କ ପାଇଁ କାଠିକର ପାଠ ହୋଇଛି।

ସୂଚନାଯୋଗ୍ୟ, ମେଘାଳୟର ଏହି କୋଇଲା ଖଣିରେ କେତେକ ଶ୍ରମିକ କାମ କରୁଥିବା ବେଳେ ହଠାତ୍‌ ପାଣି ପଶି ଯାଇଥିଲା। ଫଳରେ ଅନେକଙ୍କର ଜୀବନ ଯାଇଥିବା ବେଳେ କେତେକ ଭିତରେ ଫସି ରହିଥିବା ଅନୁମାନ କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବାକୁ ଓଡ଼ିଶାରୁ ୨୨ ଜଣ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ଯାଇଛନ୍ତି। ସେମାନଙ୍କ କ୍ୟାମ୍ପଠାରୁ ଘଟଣାସ୍ଥଳ ପାଖାପାଖି ୬୦ କିଲୋମିଟର ଦୂର ହୋଇଥିବାରୁ ଯିବା ଆସିବା ପାଇଁ ‌ସେମାନଙ୍କୁ ଏହି ଘରୋଇ ବସ୍‌ ଯୋଗାଇ ଦିଆଯାଇଛି। ବର୍ତ୍ତମାନ ମେଘାଳୟରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ସେମାନେ ସବୁଦିନ ସେମାନେ ସେହି ବସ୍‌ରେ ୬୦ କିଲୋମିଟର ଯିବା ଆସିବା‌ କରୁଛନ୍ତି। ତେବେ ଆଜି ସେମାନଙ୍କ ବସ୍‌ ଘଟଣାସ୍ଥଳରୁ ୧୦ କିଲୋମିଟର୍‌ ଅତିକ୍ରମ କରିବା ବେଳକୁ ହଠାତ୍‌ ଟେକାପଥର ମାଡ଼ ହୋଇଛି।

By amfnews

Related Post