Sat. Oct 3rd, 2026

ମୃତ‌ ଦେହରେ କରୋନାଭାଇରସ୍‌ର ପରମାୟୁ ଉପରେ ଅଧ୍ୟୟନ କରିବ ଏମ୍‌ସ୍

1205778418
382 Views

ନୂଆଦିଲ୍ଲୀ: ମୃତ ଦେହରେ କରୋନାଭାଇରସ୍ କେତେ ସମୟ ବଞ୍ଚି ରହିବ। ସେତେବେଳେ ଏହା ଅନ୍ୟମାନଙ୍କ ଦେହରେ ସଂକ୍ରମଣ କରାଇ ପାରିବ କି, ନାହିଁ, ଏ ବିଷୟରେ ଅଧ୍ୟୟନ କରିବାକୁ ଏମ୍‌ସ୍ ଡାକ୍ତରମାନେ ଜଣେ ମୃତ କୋଭିଡ୍-୧୯ ଆକ୍ରାନ୍ତଙ୍କ ଶବ ବ୍ୟବଚ୍ଛେଦ କରିବାକୁ ଚିନ୍ତା କରୁଥିବା କଥା ଗୁରୁବାର ଦିନ ଫରେନ୍‌ସିକ୍ ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି।

ଶରୀର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ଉପରେ ଏହି ଭୂତାଣୁ କିଭଳି କୁପ୍ରଭାବ ପକାଉଛି ତାହା ମଧ୍ୟ ଏହି ଅଧ୍ୟୟନରୁ ଜଣାପଡ଼ିବ ବୋଲି ଡାକ୍ତର ଗୁପ୍ତା କହିଛନ୍ତି।

ମୃତବ୍ୟକ୍ତିଙ୍କ ଉତ୍ତରାଧିକାରୀଙ୍କ ଠାରୁ ଏଥିନିମନ୍ତେ ଅନୁମତି ଅଣାଯିବ। ଏହି ଅଧ୍ୟୟନରେ ପାଥୋଲୋଜି ଏବଂ ମାଇକ୍ରୋବାୟୋଲଜି ଭଳି ଅନେକ ବିଭାଗର ଡାକ୍ତରମାନେ ଅଂଶଗ୍ରହଣ କରିବେ।

ମଙ୍ଗଳବାର ଦିନ ଆଇସିଏମ୍ଆର୍ କହିଥିଲା ଯେ କୋଭିଡ୍-୧୯ ହେଉଛି ଶ୍ବାସପ୍ରଶ୍ବାସ ସଂକ୍ରମଣଜନିତ ରୋଗ। ଏହା ମୁଖ୍ୟତଃ ବାୟୁରେ ମିଶ୍ରିତ ହୋଇ ବ୍ୟାପିଥାଏ।

ବିଭିନ୍ନ ବିଜ୍ଞାନ ଆଲେଖ୍ୟ ଅନୁସାରେ, ମୃତ ଦେହରେ କ୍ରମଶଃ ଭାଇରସ୍‌ମାନଙ୍କର ଆୟୁଷ ହ୍ରାସ ପାଇଥାଏ। କିନ୍ତୁ, ନିର୍ଦ୍ଦିଷ୍ଟ କେତେ ସମୟ ପରେ ଶବ ଭାଇରସ୍‌ମୁକ୍ତ ହେବ, ସେ ସଂକ୍ରାନ୍ତରେ କିଛି ସୂଚନା ନାହିଁ। ତେଣୁ ଡାକ୍ତରମାନେ ଏ ଭଳି ଅଧ୍ୟୟନ କରିବାକୁ ବିଚାର କରୁଛନ୍ତି। ଏହା ଜଣାପଡ଼ିଲେ ଶବାଗାର କର୍ମଚାରୀ ଏବଂ ପୁଲିସ କର୍ମଚାରୀଙ୍କ ପାଇଁ ଥିବା ସଂକ୍ରମଣ ବିପଦ ଏଡ଼ାଇବାକୁ ଆବଶ୍ୟକ ବ୍ୟବସ୍ଥା କରାଯାଇ ପାରିବ।

By amfnews

Related Post