Wed. Aug 19th, 2026

ମୁଣ୍ଡ ଖଟାଇ ମୁଣ୍ଡରେ ଲୁଚାଇଥିଲେ, ତଥାପି ଧରାପଡ଼ିଲେ

317 Views

କୋଚି  :  ବିଦେଶରୁ କିଏ କେତେ ପ୍ରକାରେ ସୁନା ଲୁଚାଇ ଆଣୁଛନ୍ତି। କିନ୍ତୁ ଅନେକ ସମୟରେ ଏମାନେ ବିମାନବନ୍ଦରରେ ନିଯୁକ୍ତ ସୁରକ୍ଷାକର୍ମୀ ତଥା କଷ୍ଟମ୍ ଅଧିକାରୀଙ୍କ ହାତରେ ଧରାପଡ଼ୁଛନ୍ତି। ପ୍ରାୟ ନିୟମିତ ଭାବେ ଏମିତି ଖବର ଦେଶର ବିଭିନ୍ନ ବିମାନବନ୍ଦରରୁ ଆସୁଛି। ଏଭଳି ଏକ ଘଟଣା କେରଳର କୋଚି ବିମାନବନ୍ଦରରେ ମଧ୍ୟ ଘଟିଛି। ଜଣେ ଯୁବକ ତାଙ୍କ ୱିଗ୍‌ ଭିତରେ ଲୁଚାଇ ୟୁଏଇରୁ ସୁନା ଆଣିଥିବା ବେଳେ ଧରାପଡ଼ିଛନ୍ତି। ତାଙ୍କ ନାଁ ନୌଶଦ। ତାଙ୍କ ଘର ମାଲାପୁରମ୍‌ ଅଞ୍ଚଳରେ।

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ସେ ୟୁଏଇରୁ ଆସି କୋଚି ବିମାନବନ୍ଦରରେ ଓହ୍ଲାଇଥିଲେ। ତାଙ୍କ ହାବଭାବ ଦେଖି ସେଠାରେ ଉପସ୍ଥିତ କଷ୍ଟମ୍ ଅଧିକାରୀମାନଙ୍କର ତାଙ୍କ ଉପରେ ସନ୍ଦେହ ହୋଇଥିଲା। ଆଉ ଯାଞ୍ଚ କଲା ବେଳେ ତାଙ୍କ ୱିଗ୍ ତଳୁ ୧.୧୩ କେଜି ସୁନା ଜବତ କରାଯାଇଥିଲା। ସେ ତାଙ୍କ ମୁଣ୍ଡର ମଝି ଅଂଶର ଚୁଟିକୁ ପୂରା କାଟି ଦେଇ ସେଠାରେ ସୁନା ରଖି ୱିଗ୍ ଲଗାଇଥିଲେ। ସୁନା ଜବତ କରାଯିବା ସହ କଷ୍ଟମ ଅଧିକାରୀମାନେ ତାଙ୍କୁ ନିଜ ହେପାଜତକୁ ନେଇଥିଲେ। ଏଭଳି ଭାବେ ସୁନା ସ୍ମଗ୍‌ଲିଂ କିଛି ନୂଆ ନୁହେଁ। ଶରୀରର ବିଭିନ୍ନ ଅଂଶରେ ଏପରିକି ମଳଦ୍ୱାରରେ ମଧ୍ୟ ଲୋକେ ସୁନା ନେଇ ବିଦେଶରୁ ଆସିଥିବାର ନଜିର ରହିଛି।

By amfnews

Related Post