Thu. Jun 11th, 2026

ମିଶ୍ରଣ ପର୍ବ ଚାଲିଥିବା ବେଳେ କର୍ମୀଙ୍କୁ ଚାପୁଡ଼ା ମାରିଲେ ନେତା !

273 Views

ପାରଳାଖେମୁଣ୍ଡି : ଗତକାଲି ଗଜପତି ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଘଟିଥିବା ଏକ ଘଟଣାର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଜନୈକ ଯୁବକର୍ମୀଙ୍କୁ ମଞ୍ଚ ଉପରେ ଚାପୁଡ଼ା ପକାଉଥିବାର ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ମଙ୍ଗଳବାର ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ପୂର୍ବତନ ଜିଲ୍ଲା ଯୁବକଂଗ୍ରେସ ସଭାପତି ସଂଗ୍ରାମ ସାହୁ। ଦଳରେ ଯୋଗ ଦେଇଥିବା କର୍ମୀଙ୍କୁ ଉତ୍ତରୀୟ ପକାଇ ସ୍ବାଗତ କରୁଥିଲେ ସୋରଡା ବିଧାୟକ ତଥା ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ। ସଂଗ୍ରାମ ସାହୁଙ୍କୁ ବିଧାୟକ ସ୍ବାଇଁ ଉତ୍ତରୀୟ ପକାଉଥିବା ବେଳେ ସେ ତାହାକୁ ତାଙ୍କ ହାତରୁ ଭିଡ଼ି ଆଣି ସାଂସଦଙ୍କୁ ପକାଇବା ଲାଗି ବଢ଼ାଇଥିଲେ। ଏଭଳି ଅସୌଜନ୍ୟ ଆଚରଣରେ ଉତକ୍ଷିପ୍ତ ହୋଇ ସାଂସଦ ଚନ୍ଦ୍ରଶେଖର ସାହୁ ସଂଗ୍ରାମ ସାହୁଙ୍କୁ ଚାପୁଡ଼ାଟିଏ ପକାଇଥିଲେ। ଏହାପରେ ପୂର୍ବଭଳି ସୋରଡା ବିଧାୟକ ତାଙ୍କୁ ଦଳୀୟ ଉତ୍ତରୀୟ ପକାଇ ସ୍ବାଗତ କରିଥିଲେ।

ଏଠାରେ ସୂଚନା ଥାଉ କି କିଛି ଦିନ ତଳେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ‌ନେତା ସିଦ୍ଦରମେୟା ଜଣେ କଂଗ୍ରେସ କର୍ମୀଙ୍କୁ ଚାପୁଡ଼ା ମାରି ବିବାଦୀୟ ହୋଇପଡ଼ିଥିଲେ । ମହୀଶୁର ବିମାନ ବନ୍ଦର ବାହାରେ ସିଦ୍ଦରମେୟା ଅଚାନକ ନିଜ ଉପରୁ ନିୟନ୍ତ୍ରଣ ହରାଇ ଜଣେ କଂଗ୍ରେସ କର୍ମୀଙ୍କୁ ଚାପୁଡ଼ା ମାରିଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା । ସିଦ୍ଦରମେୟା ଗଣମାଧ୍ୟମକୁ ବୟାନ ଦେଉଥିବା ଜଣେ ବ୍ୟକ୍ତି ତାଙ୍କୁ କାହା ସହ ଫୋନ୍‌ରେ କଥା କରାଇବାପାଇଁ ଚେଷ୍ଟା କରାଇଥିଲେ। ଏହି ସମୟରେ ସିଦ୍ଦରମେୟା ତାଙ୍କୁ ଚାପୁଡ଼ା ମାରିଥିଲେ ।

By amfnews

Related Post