Sat. Apr 25th, 2026

ମାହାଙ୍ଗା ବିଡିଓଙ୍କୁ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଓଏସ୍‌ଡି ଭାବେ ନିଯୁକ୍ତିକୁ ବିଜେପିର ସମାଲୋଚନା

302 Views

ଭୁବନେଶ୍ବର : ମାହାଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାକୁ ବି ସରକାର ସ୍ବୀକାର କରିଥିଲେ। ଏବେ ସେହି ବ୍ଲକର ବିଡିଓଙ୍କୁ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ମନ୍ତ୍ରୀଙ୍କର ଓଏସଡି ଭାବେ ନିଯୁକ୍ତି ଦେବା ନେଇ ବିଜେପି ପ୍ରଶ୍ନ ଉଠାଇଛି।

ଦଳୀୟ ମୁଖପାତ୍ର ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି, ମାହାଙ୍ଗା ବ୍ଲକରେ ପିଏମଏଵାଇ ଯୋଜନାରେ ଦୁର୍ନୀତି ହେବା ନେଇ ପ୍ରମାଣ ମିଳିବା ପରେ ନିଜେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶରେ ସରକାର ଏହାର ତଦନ୍ତ କରାଇ ସାନି ହିତାଧିକାରୀ ତାଲିକା ପ୍ରସ୍ତୁତ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଯେଉଁ ବିଡିଓଙ୍କ ସମୟରେ ମାହାଙ୍ଗା ବ୍ଲକରେ ଅନିୟମିତତା ହୋଇଛି ସେହି ବିଡିଓଙ୍କୁ ବଦଳି କରି ନିଜେ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ଜେନା ନିଜର ସ୍ବତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରିଛନ୍ତି। ଏଥିରୁ ଜଣାପଡ଼ୁଛି ମାହାଙ୍ଗା ଭଳି ସାରା ଓଡ଼ିଶାରେ ଯେପରି ପକ୍କାଘର ଦୁର୍ନୀତି ହୋଇଛି ତାକୁ ଆହରି ବ୍ୟାପକ କରାଇବା ପାଇଁ ମନ୍ତ୍ରୀ ଯୋଜନା କରିଛନ୍ତି।ଶ୍ରୀ ମହାପାତ୍ର ଦର୍ଶାଇଥିଲେ, ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଠାଘର ଅଛି ବୋଲି ଯେଉଁ ଆବେଦନଗୁଡ଼ିକ ନାକଚ କରାଯାଇଥିଲା ସେହି ସମାନ ଲୋକମାନଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷରେ ଯୋଗ୍ୟ ବୋଲି ଦର୍ଶାଇ ସେମାନଙ୍କ ନାମରେ ପକ୍କାଘର ଦିଆଯାଇଥିଲା। ଏହି ଦୁର୍ନୀତି ବିଷୟରେ ତଥ୍ୟ ପ୍ରମାଣ ସହିତ ବିଜେପି ନେତା ଶାରଦା ପ୍ରଧାନ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ମାହାଙ୍ଗା ବିଡିଓ ଥିବା ଓଏଏସ ଅଧିକାରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ବଦଳି କରାଯାଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଓଏସଡି ନିଯୁକ୍ତି ନେଇ ଗତକାଲି ସାଧାରଣ ପ୍ରଶାନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

By amfnews

Related Post