Fri. Jul 31st, 2026

ମାଟ୍ରିକ ପ୍ରମାଣପତ୍ର ଏବେ ଆବାସିକ ପ୍ରମାଣପତ୍ର

292 Views

ଭୁବନେଶ୍ୱର : ବୋର୍ଡ ବା ତତ୍ତୁଲ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିବା ମାଟ୍ରିକ ବା ତତ୍ତୁଲ୍ୟ ପ୍ରମାଣପତ୍ରକୁ ଆବାସିକ ପ୍ରମାଣପତ୍ର ଭାବେ ବିବେଚନା କରାଯିବ। ଆବାସିକ ପ୍ରମାଣପତ୍ର ନେଇ ରହିଥିବା ନିୟମାବଳୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ସଂଶୋଧନ ଅଣାଯାଇଛି। ଯେଉଁମାନେ ହାଇସ୍କୁଲ/ତତ୍ତୁଲ୍ୟ ଡିଗ୍ରି ହାସଲ କରିନାହାନ୍ତି ସେମାନଙ୍କୁ ନିୟମ ଅନୁଯାୟୀ ଆବାସିକ ପ୍ରମାଣପତ୍ର ସଂଗ୍ରହ କରିବାକୁ ହେବ। ଆବାସିକ ପ୍ରମାଣପତ୍ର ଜାରି ହେବା ଦିନଠାରୁ ୫ ବର୍ଷ ପାଇଁ ବୈଧ ରହିବ।

ସେହିଭଳି ଆୟ ପ୍ରମାଣପତ୍ରର ବୈଧତା ଜାରି ହେବା ଦିନଠାରୁ ୩ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ଓ ଅଭିଭାବକତ୍ୱ ପ୍ରମାଣପତ୍ରକୁ ଯଦି ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ବିନା ପରିବର୍ତ୍ତନ ବା ବାତିଲ କରାଯାଇ ନଥାଏ ତା’ହେଲେ ତାହା ସବୁଦିନ ପାଇଁ ବୈଧ ରହିବ। ଓଡ଼ିଶା ବିବିଧ ପ୍ରମାଣପତ୍ର ନିୟମ ୨୦୧୭ରେ ସଂଶୋଧନ ଆଣି ଏହାକୁ ଓଡ଼ିଶା ଗେଜେଟ୍‌ରେ ପ୍ରକାଶ କରିବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଡ. ସି. ଏସ୍‌. କୁମାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗେଜେଟ୍‌ରେ ପ୍ରକାଶ ପାଇବା ଦିନଠାରୁ ଏହି ନିୟମ କାର୍ଯ୍ୟକାରୀ ହେବ। ଗେଜେଟ୍‌ ବିଜ୍ଞପ୍ତି ଜାରି କରିବା ସହିତ ଏସଂକ୍ରାନ୍ତ ନକଲ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ଆର୍‌ଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସଲଦାରମାନଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

By amfnews

Related Post