Thu. Jun 11th, 2026

ମହିଳାମାନେ ଜିନ୍ସ ଓ କେପ୍ରି ପିନ୍ଧିଲେ ମିଳିବନି ଡ୍ରାଇଭିଂ ଲାଇସେନ୍ସ!

231 Views

ଚେନ୍ନାଇ : ଡ୍ରାଇଭିଂ ଲାଇସେନ୍ସ ପାଇଁ ଲୋକମାନେ ଏବେ ଲମ୍ବାଧାଡ଼ିରେ ଛିଡ଼ା ହେଉଛନ୍ତି। ମହିଳାଙ୍କଠାରୁ ଆରମ୍ଭ କରି ଯୁବତୀ ଏବଂ ବୟସ୍କ ବ୍ୟକ୍ତିମାନେ ସମସ୍ତ ଦସ୍ତାବିଜ୍‌ ସହ ଲାଇସେନ୍ସ ପାଇଁ ଅପେକ୍ଷା କରୁଛନ୍ତି। ହେଲେ କୌଣସି ଯୁବତୀ କିମ୍ବା ମହିଳା ଜିନ୍ସି ବା କେପ୍ରି (ମହିଳାମାନେ ପିନ୍ଧୁଥିବା ୧/୪ ପ୍ୟାଣ୍ଟ) ପିନ୍ଧୁଛନ୍ତି, ତା’ହେଲେ ସେମାନଙ୍କୁ ଆରଟିଓ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ଦିଆଯାଉନାହିଁ।

ଆପଣ ଏକଥାକୁ ବିଶ୍ୱାସ କରିପାରୁ ନଥିବେ। ଆପଣ ଭାବୁଥିବେ ଏଭଳି ନିୟମ ତ କେବେ କେଉଁଠି ଘୋଷଣା ହୋଇନାହିଁ। ହଁ ଆପଣ ଠିକ୍‌ କହୁଛନ୍ତି। ବିଧିବଦ୍ଧ ଭାବେ ଏଭଳି ଘୋଷଣା ହୋଇନାହିଁ। କିନ୍ତୁ ଚେନ୍ନାଇର ଆରିଟିଓ ଅଫିସ ଅଘୋଷିତ ଭାବେ ଏଭଳି ନିୟମ ଲାଗୁ କରି ଅନେକ ଯୁବତୀ ଏବଂ ମହିଳାମାନଙ୍କୁ ହଇରାଣ କରିବାରେ ଲାଗିଛି।

ଚେନ୍ନାଇରେ କାର୍ଯ୍ୟରତ ଜଣେ ଯୁବତୀ ପବିତ୍ରା କିଛିଦିନ ତଳେ ଡ୍ରାଇଭିଂ ଲାଇସେନ୍ସ ପାଇଁ କେକେ ନଗର ଆରଟିଓ ଯାଇଥିଲେ। ସେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ବେଳେ ଜିନ୍ସ ଓ ହାତ କଟା ଟପ୍ସ ପିନ୍ଧିଥିଲେ। ଏହାକୁ ଦେଖି ମଟୋର ଭେଇକିଲ ଇନସପେକ୍ଟର ତାଙ୍କୁ ଲାଇସେନ୍ସ ମିଳିପାରିବ ନାହିଁ ବୋଲି କହିଥିଲେ। ଏପରି କି ତାଙ୍କୁ ଡ୍ରାଇଭିଂ ଟେଷ୍ଟରେ ସାମିଲ ହେବାକୁ ମଧ୍ୟ ଅନୁମତି ଦେଇ ନଥିଲେ।

ପ୍ରଥମେ ସାଲୁଆର ଓ କମିଜ ପିନ୍ଧିକି ଆସିଲେ ଲାଇସେନ୍ସ ମିଳି ବୋଲି ସେ କହିଥିଲେ। ପବିତ୍ରା ମଧ୍ୟ ଉକ୍ତ ଅଧିକାରୀଙ୍କ କଥା ମାନି ତୁରନ୍ତ ଘରକୁ ଯାଇଥିଲେ ଏବଂ ସାଲୁଆର କମିଜ ପିନ୍ଧି ପୁଣିଥରେ ଲାଇସେନ୍ସ ପାଇଁ ଆବେଦନ କରିଥିଲେ।

ଏହି ଘଟଣାର ୧୦ ଦିନ ପୂର୍ବରୁ ସୁମାତି ନାମକ ଜଣେ କଲେ ଛାତ୍ରୀ କେପ୍ରି ଓ ଶାର୍ଟ ପିନ୍ଧି ଲାଇସେନ୍ସ ପାଇଁ ଯାଇଥିବାରୁ ତାଙ୍କୁ ମଧ୍ୟ ସମାନ ଅଧିକାରୀ ଜଣଙ୍କ ଫେରାଇ ଦେଇଥିଲେ। ସେ ଯୁକ୍ତିତର୍କ କରିବାରୁ ଅନ୍ୟ ଅଧିକାରୀମାନେ ମଧ୍ୟ ପ୍ରଥମେ ଡିସେଣ୍ଟ ପୋଷାକ ପିନ୍ଧନ୍ତୁ ଓ ପରେ ଲାଇସେନ୍ସ ପାଇଁ ଆବେଦନ କରନ୍ତୁ ବୋଲି କହିଥିଲେ।

ଅନ୍ୟପକ୍ଷରେ ଡ୍ରାଇଭିଂ ଲାଇନ୍ସ ପାଇଁ କୌଣସି ଡ୍ରେସ୍‌ କୋଡ୍‌ର ନିୟମ ନାହିଁ। ଆବେଦନକାରୀଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିଲେ ସେ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। ହେଲେ ଚେନ୍ନାଇ ଆରଟିଓ ଏଭଳି ନିୟମ ଲାଗୁ କରିବାର କାରଣ କ’ଣ ବୋଲି ସାଧାରଣରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

By amfnews

Related Post