Sat. Sep 5th, 2026

ମଧ୍ୟ ପ୍ରଦେଶ ପରେ ଦିଲ୍ଲୀରେ ଗିରଫ ହେଲା ଆଉ ଏକ ହନିଟ୍ରାପ ଗ୍ୟାଙ୍ଗ୍

236 Views

ନୂଆଦିଲ୍ଲୀ  : ମଧ୍ୟ ପ୍ରଦେଶରେ ହନିଟ୍ରାପ ଗ୍ୟାଙ୍ଗର ଗୁମର ଫିଟୁଥିବା ବେଳେ ଦିଲ୍ଲୀରେ ପୁଣି ଏକ ହନିଟ୍ରାପ ଗ୍ୟାଙ୍ଗକୁ ଧରିଛି ପୁଲିସ୍। ଏହି ଗ୍ୟାଙ୍ଗ୍ ବିଭିନ୍ନ ବର୍ଗର ଲୋକଙ୍କୁ ଫଶାଇବା ପାଇଁ ଉଦ୍ୟମ କରୁଥିଲା। ଯିଏ ବିରୋଧ କରୁଥିଲା ତାକୁ ହତ୍ୟା କରିବାକୁ ପଛାଉନଥିଲା ବୋଲି ଜଣାପଡ଼ିଛି।

୨୩ ତାରିଖରେ ଦିଲ୍ଲୀ ସ୍ଥିତ ପ୍ରଶାନ୍ତ ବିହାରରେ ଥିବା ରାଜୀବ ଗାନ୍ଧି ହସ୍ପିଟାଲ ଏବଂ ରିଠାଲା ମେଟ୍ରୋ ଷ୍ଟେସନ ମଝିରେ ଏକ ୨୮ ବର୍ଷୀୟ ଯୁବକର ମୃତ ଦେହ ଉଦ୍ଧାର ହୋଇଥିଲା। ମୃତକର ନାଁ ଦୀପକ ବୋଲି ଜଣାପଡ଼ିଛି। ମୃତକର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପୁଲିସ୍ ଏହି ଘଟଣାରେ ତଦନ୍ତ କରିବାକୁ ଯାଇ ଆଖାପାଖର ସମସ୍ତ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତ ପାଖରେ ପହଞ୍ଚିବାରେ ସକ୍ଷମ ହୋଇଛି।

ପୁଲିସ୍ ଏହି ମାମଲାରେ ଅନୀଲ, ମଣ୍ଟି ଏବଂ ପାୟଲକୁ ଗିରଫ କରିଛି। ୨୩ ତାରିଖ ରାତିରେ ପାୟଲ ରାସ୍ତା ମଝିରେ ଛିଡ଼ା ହୋଇଥିଲା। ଏହି ସମୟରେ ଦୀପକ ଯାଉଥିବା ଦେଖି ଫଶାଇବା ପାଇଁ ଡାକିଥିଲା। କଥା ହେଉ ହେଉ ଦୀପକକୁ ରାସ୍ତାର ଏକ ପାଖକୁ ନେଇ ଯାଇଥିଲା ପାୟଲ। ଅନ୍ଧାର ସ୍ଥାନ ଦେଖି ଦୀପକକୁ ଲୁଟିବା ପାଇଁ ଆରମ୍ଭ କରିଥିଲା ପାୟଲ। ଦୀପକ କିନ୍ତୁ ବିରୋଧ କରିଥିଲା। ଏହାପରେ ଘଟଣାସ୍ଥଳରେ ପାୟଲର ଦୁଇ ସହଯୋଗୀ ଅନୀଲ ଓ ମଣ୍ଟି ପହଞ୍ଚି ଏକ ଠେଙ୍ଗାରେ ଦୀପକର ମୁଣ୍ଡକୁ ଆଘାତ ଦେବାରୁ ଘଟଣାସ୍ଥଳରେ ଦୀପକର ମୃତ୍ୟୁ ଘଟିଥିଲା।

ଏହାପରେ ହତ୍ୟାକାରୀ ଦୀପକର ପକେଟରୁ ଟଙ୍କା, ମୋବାଇଲ ନେଇ ଫେରାର ହୋଇଯାଇଥିଲେ। ପୁଲିସ ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ୩ ଅଭିଯୁକ୍ତ ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ ରହୁଥିବା ଜଣାପଡ଼ିଛି। ପୂର୍ବରୁ ଅଜୟ ଏବଂ ମଣ୍ଟି ନାମରେ ୩୦ରୁ ଅଧିକ ଅପରାଧିକ ମାମଲା ରହିଛି ବୋଲି ଜଣାପଡ଼ିଛି।

By amfnews

Related Post