Tue. Sep 29th, 2026

ମଙ୍ଗଳ ଗ୍ରହରେ ପ୍ରଥମ ଥର ଲାଗି ପବନ ଶବ୍ଦ ରେକର୍ଡ କଲା ‘ନାସା’ର ‘ଇନ୍‌ସାଇଟ୍‌ ଲ୍ୟାଣ୍ଡର୍‌’

477 Views

ଟାମ୍ପା, ଡିସେମ୍ବର ୦୮ : ‘ନାସା’ର ‘ଇନ୍‌ସାଇଟ୍‌’ ଲ୍ୟାଣ୍ଡର୍‌ ଲୋହିତ ଗ୍ରହରୁ ପବନର କମ୍ପନ ରେକର୍ଡ କରିବା ପରେ ଏବେ ଲୋକେ ପ୍ରଥମ ଥର ପାଇଁ ମଙ୍ଗଳ ଗ୍ରହରେ ପ୍ରବାହିତ ପବନର କ୍ଷୀଣ ତରଙ୍ଗ ଶୁଣି ପାରିବେ ବୋଲି ଶୁକ୍ରବାର ଦିନ ମହାକାଶ ଏଜେନ୍‌ସି କହିଛି।

ଘଣ୍ଟା ପ୍ରତି ୧୦ ରୁ ୧୫ କିଲୋମିଟର ବେଗରେ ପ୍ରବାହିତ ଶକ୍ତିଶାଳୀ ପବନ ଝଙ୍କା ‘ଇନ୍‌ସାଇଟ୍‌’ର ସୋଲାର୍‌ ପାନେଲ୍‌ ବା ସୌରଶକ୍ତି ଫଳକ ଉପର ଦେଇ ପ୍ରବାହିତ ହେବା ସମୟରେ ରେକର୍ଡ ହୋଇଥିଲା। ନଭେମ୍ବର ୨୬ ତାରିଖ ଦିନ ମାନବବିହୀନ ଏହି ଲ୍ୟାଣ୍ଡର୍‌ ପୃଥିବୀର ଧୂଳିଆ ତଥା ଟାଙ୍ଗରା ପଡ଼ୋଶୀ ଉପରେ ଅବତରଣ କରିଥିଲା।

ଦୁଇଟି ସେନ୍‌ସର୍‌ ଏହି କମ୍ପନ ଧ୍ୱନିକୁ ରେକର୍ଡ କରିଥିଲେ। ସେଗୁଡ଼ିକ ହେଲା ଲ୍ୟାଣ୍ଡର୍‌ ଭିତରେ ଥିବା ଏକ ଏୟାର ପ୍ରେସର୍‌ ସେନ୍‌ସର୍‌ ଏବଂ ଲ୍ୟାଣ୍ଡର୍‌ର ଡେକ୍‌ରେ ଥିବା ଏକ ସିସ୍‌ମୋମେଟର୍‌। ଇନ୍‌ସାଇଟ୍‌ର ରୋବୋଟିକ୍‌ ହାତ ସେଗୁଡ଼ିକୁ ମଙ୍ଗଳ ପୃଷ୍ଠରେ ମୁତୟନ କରିବ।

ଏକ ସାମ୍ବାଦିକ ସମ୍ମିଳନୀରେ ଇମ୍ପେରିଆଲ୍‌ କଲେଜ ଲଣ୍ଡନ୍‌ର ଅଗ୍ରଣୀ ତଦନ୍ତକାରୀ ଟୋମାସ୍‌ ପାଇକ୍‌ କହିଛନ୍ତି: ଏହା ହେଉଛି ସ୍ୱଳ୍ପକାଳୀନ ସିସ୍‌ମୋମିଟର୍‌ର ପ୍ରଥମ ୫ ମିନିଟ୍‌ର ତଥ୍ୟ। ଏହା ପବନରେ ପତାକାଟିଏ ଉଡ଼ିବା ଶବ୍ଦ ପରି। ଏହା ଠିକ୍‌ ଅନ୍ୟ ଜଗତ୍‌ର ଶବ୍ଦ ପରି।

କାଲିଫର୍ଣ୍ଣିଆର ପାସାଡେନା ଠାରେ ଥିବା ନାସାର ଜେଟ୍‌ ପ୍ରୋପଲ୍‌ସନ୍‌ ଲାବ୍ରୋଟରି ପ୍ରଧାନ ଗବେଷକ ବ୍ରୁସ୍‌ ବ୍ୟାନେର୍ଡ କହନ୍ତି: ସ୍ଥାନୀୟ ସମୟ ଅପରାହ୍ଣ ୫ଟାରେ ଉତ୍ତରପଶ୍ଚିମ ରୁ ଦକ୍ଷିଣପଶ୍ଚିମକୁ ପ୍ରବାହିତ ହେଉଥିବା ପବନକୁ ବାରିବା ଥିଲା ଏକ ଯୋଜନା ବହିର୍ଭୁତ ଯୋଜନା।

୧୯୭୬ରେ ଅବତରଣ କରିଥିବା ନାସାର ଭାଇକିଙ୍ଗ୍‌ ୧ ଏବଂ ୨ ଲ୍ୟାଣ୍ଡର୍‌ ମଧ୍ୟ ମଙ୍ଗଳୀୟ ପବନର ସଙ୍କେତ ଧରି ପାରିଥିଲା। ସେମାନେ ରେକର୍ଡ କରିଥିବା ତରଙ୍ଗ ଏତେ କ୍ଷୀଣ ଥିଲା ଯେ ତାହାକୁ ଶୁଣିବା ମଣିଷ ପକ୍ଷେ ଥିଲା ଅସମ୍ଭବ।

ମଙ୍ଗଳୀୟ ପବନର ଏକ ଅଡିଓ ଟ୍ରାକ୍‌ ଏବେ www.nasa.gov/insightmarswindରେ ଶୁଣିବାକୁ ମିଳୁଛି।

By amfnews

Related Post