Sun. Jul 26th, 2026
258 Views

କଟକ : କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯମଜ ଶିଶୁ ଜଗା ଓ କାଳିଆଙ୍କ ମଧ୍ୟରୁ ଗତକାଲି କାଳିଆର ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଗତ ରାତିରୁ କାଳିଆକୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ ଆଜି ତା’ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି।  ଏକ ବିଶେଷଜ୍ଞ ଡାକ୍ତରୀ ଟିମ୍‌ ଦ୍ୱାରା କାଳିଆର ଚିକିତ୍ସା ଚାଲିଥିବା ସୂଚନା ମିଳିଛି।

ଏସ୍‌ସିବି ମେଡିକାଲ୍ କଲେଜ ଅଧ୍ୟକ୍ଷା ଜୟଶ୍ରୀ ମହାନ୍ତି କହିଛନ୍ତି, ଗତକାଲି କାଳିଆ ଛାତିରେ ସାମାନ୍ୟ ଯନ୍ତ୍ରଣା ହେଉଥିଲା। ବର୍ତ୍ତମାନ ସେ ସୁସ୍ଥ ଅଛି। ଦୀର୍ଘ ୨ ବର୍ଷର ଚିକିତ୍ସା ପରେ ସେପ୍ଟେମ୍ବର ୭ ତାରିଖରେ ଦିଲ୍ଲୀ ଏମସ୍‌ରୁ ଜଗା ଓ କାଳିଆ ଓଡ଼ିଶା ଫେରିଥିଲେ। ତା’ପରଠାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍‌ରେ ଆଇସିୟୁରେ ରଖାଯାଇଛି।

ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗାକାଳିଆଙ୍କୁ ଦିଲ୍ଲୀ ଏମସ୍‌ରେ ଭର୍ତ୍ତି କରାଯାଇଥିଲା। ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ୨୦୧୭ରେ ଏ ଦୁଇ ଭାଇ ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବା ଖବର ପ୍ରଥମେ ଓଟିଭିରେ ଖବର ପ୍ରସାରିତ ହୋଇଥିଲା। ଏହାପରେ ରାଜ୍ୟ ସରକାର ତତ୍ପରତା ଦେଖାଇ ଶିଶୁ ଦ୍ୱୟଙ୍କୁ ଦିଲ୍ଲୀ ଏମସ୍‌କୁ ପଠାଇବା ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଥିଲେ।

By amfnews

Related Post