Mon. Sep 14th, 2026

ଭୁବନେଶ୍ୱର ଓ କଟକରୁ ୮ଟି ରୁଟ୍‌ରେ ପୁଣି ଗଡ଼ିଲା ‘ମୋ ବସ୍’

377 Views

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ କଟକରୁ ଆଜିଠାରୁ ‘ମୋ ବସ୍’ ଚଳାଚଳ ପୁଣି ଆରମ୍ଭ ହୋଇଛି। ଆଜି ସକାଳ ୭ଟାରୁ ଭୁବନେଶ୍ୱର ଓ କଟକରୁ ୮ଟି ରୁଟ୍‌ରେ ‘ମୋ ବସ୍’ ଗଡ଼ିଲା । ଏହି ସବୁ ବସ୍ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଚାଲିବ ।‌ ଭୁବନେଶ୍ୱର ଓ କଟକରେ ଅତି ଗୁରୁତ୍ୱପୂର୍ଣ୍ଣ ୧୧, ୧୬, ୧୮, ୨୦, ୨୩, ୨୫, ୨୭ ଓ ୩୩ ଆଦି ୮ଟି ନମ୍ବର ରୁଟ୍‌ରେ ଏହି ବସ୍ ଚଳାଚଳ କରିଥିବା ଜଣାଯାଇଛି।
ଏଥି ମଧ୍ୟରେ ରାଜଧାନୀର ଶିଖରଚଣ୍ଡୀ ବିହାରରୁ ଲିଙ୍ଗିପୁର, ବରମୁଣ୍ଡାରୁ କଟକର ଜଗତପୁର, ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନରୁ ସମ୍‌ ହସ୍ପିଟାଲ, ମାଷ୍ଟରକ୍ୟାଣ୍ଟିନରୁ ବିଜୁପଟ୍ଟନାୟକ ପାର୍କ(କଟକର ସିଡିଏ), ମାଷ୍ଟରକ୍ୟାଣ୍ଟିନରୁ ଏମ୍‌ସ, ମାଷ୍ଟରକ୍ୟାଣ୍ଟିନରୁ ପିପିଲି, ମଞ୍ଚେଶ୍ବରରୁ ଡୁମଡୁମା ରୁଟ୍‌ରେ ବସ୍ଚଳାଚଳ କରୁଛି।

ସୂଚନାଯୋଗ୍ୟ, ଅନ୍‌ଲକ୍‌-୩ ଜାରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଆସନ୍ତାକାଲି (ମଙ୍ଗଳବାର) ଠାରୁ ମୋ ବସ୍‌ ଚାଲିବ ବୋଲି ‘ମୋ ବସ’କୁ ପରିଚାଳନା କରୁଥିବା କ୍ୟାପିଟାଳ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ (କ୍ରୁଟ) ପକ୍ଷରୁ ଏହି ସୂଚନା ଦିଆଯାଇଥିଲା। ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ପଡ଼ିବ। ମାସ୍କ ପିନ୍ଧି ନଥିଲେ ବସ୍‌ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଅଗଷ୍ଟ ମାସରେ ବସ୍‌ ସେବା ସପ୍ତାହାନ୍ତ ବନ୍ଦ ରହିବ।

ଉଲ୍ଲେଖଯୋଗ୍ୟ, ରାଜଧାନୀ ଭୁବନେଶ୍ୱରର ସବୁଠାରୁ ସୁଲଭ ଓ ସୁବିଧା ସାଧାରଣ ବସ ସେବା ‘ମୋ ବସ୍‌’ ମହାମାରୀ କରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛି। ଏହି ବସ୍‌ ସେବା ବନ୍ଦ ଥିବାରୁ ସାଧାରଣ ଲୋକଙ୍କୁ ଯାତାୟତରେ ବହୁ ଅସୁବିଧା ହେଉଛି। ସେହିଭଳି ଲୋକଙ୍କୁ ଅନ୍ୟ ଘରୋଇ ସଂସ୍ଥାର ଟ୍ୟାକ୍ସି ଓ କ୍ୟାବରେ ଯାତ୍ରା କରିବା ଦ୍ୱାରା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ତେଣୁ ଆଜିଠାରୁ ମୋ ବସ୍‌ ପୁଣି ଥରେ ଚଳାଚଳ ଆରମ୍ଭ କରୁଥିବାରୁ ସାଧାରଣ ଯାତ୍ରୀ ଏଥିରୁ ଉପକୃତ ହେବେ ବୋଲି ଆଶା କରାଯାଉଛି।

By amfnews

Related Post