Fri. Apr 24th, 2026

ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ଦେଶରେ ଲାଗୁ କଲା ୨୪ ଘଣ୍ଟିଆ ଆରଟିଜିଏସ୍ ଅର୍ଥ କାରବାର ବ୍ୟବସ୍ଥା

377 Views

ନୂଆଦିଲ୍ଲୀ, ଡିସେମ୍ବର ୧୪ : ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ଆରଟିଜିଏସ୍ ମାଧ୍ୟମରେ ୨୪ ଘଣ୍ଟା ଅର୍ଥ ନେଣଦେଣ ବ୍ୟବସ୍ଥା ଆରମ୍ଭ କରିଛି। ରିଜର୍ଭ ବ୍ୟାଙ୍କ୍‍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ବିଷୟରେ ଘୋଷଣା କରିଛନ୍ତି। ଏକ ଟ୍ୱିଟ୍‍ କରି ସେ କହିଛନ୍ତି, ରବିବାର ରାତିଠାରୁ ଆରଟିଜିଏସ୍ ମାଧ୍ୟମରେ ଲୋକମାନେ ବର୍ଷର ୧୨ ମାସ ଯେ କୌଣସି ସମୟରେ ଅର୍ଥ ନେଣଦେଣ କରିପାରିବେ।

ସେ କହିଛନ୍ତି, ଦିନରାତି ୨୪ ଘଣ୍ଟା ଆରଟିଜିଏସ୍ ବ୍ୟବସ୍ଥା ଲାଗୁ କରିବାରେ ଭାରତ ବିଶ୍ୱର ମାତ୍ର ଅଳ୍ପ କିଛି ଦେଶ ମଧ୍ୟରେ ସ୍ଥାନ ପାଇଛି। ଦେଶରେ ଡିଜିଟାଲ୍‍ ନେଣଦେଣ ବ୍ୟବସ୍ଥାକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ କେବଳ ଛୁଟି ଦିନଗୁଡ଼ିକୁ ଛାଡ଼ି ବାକି ଦିନଗୁଡ଼ିକରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଆରଟିଜିଏସ୍ ମାଧ୍ୟମରେ ଅର୍ଥ ନେଣଦେଣ କରାଯାଇ ପାରୁଥିଲା।

ତେବେ ସପ୍ତାହର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଦିନ ଆରଟିଜିଏସ୍ ବ୍ୟବସ୍ଥା ବନ୍ଦ୍‍ ରହିବ। ଆରଟିଜିଏସ୍ ବ୍ୟବସ୍ଥା ଅନୁସାରେ ଅଧିକ ମୂଲ୍ୟର ଅର୍ଥ ନେଣଦେଣ ହୋଇଥାଏ। ୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଅର୍ଥ ହସ୍ତାନ୍ତର ପାଇଁ ଆରଟିଜିଏସ୍ ବ୍ୟବସ୍ଥାର ବ୍ୟବହାର କରାଯାଇଥାଏ। ଆରଟିଜିଏସ୍ ବ୍ୟବସ୍ଥାରେ ଅର୍ଥ ନେଣଦେଣ ପାଇଁ କୌଣସି ସୀମା ଧାର୍ଯ୍ୟ କରାଯାଇ ନାହିଁ। ଆରଟିଜିଏସ୍ ବ୍ୟବସ୍ଥାରେ ପଠାଯାଇଥିବା ଅର୍ଥ ତୁରନ୍ତ ଯାଇ ଗ୍ରାହକଙ୍କ ଜମାଖାତାରେ ପହଞ୍ଚିଥାଏ।

By amfnews

Related Post