Sun. May 17th, 2026

ଭାରତରେ ପ୍ରଥମ: ଘରୋଇ କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ୭୫% ଚାକିରି

309 Views

ବିଜୟୱାଡା  : ଦେଶର ପ୍ରଥମ ରାଜ୍ୟ ଭାବେ ଆନ୍ଧ୍ର ପ୍ରଦେଶ ଉଦାହରଣ ସୃଷ୍ଟି କରିଛି। ରାଜ୍ୟରେ ଥିବା ସମସ୍ତ ଘରୋଇ କମ୍ପାନୀ ଓ ଫ୍ୟାକ୍ଟ୍ରିରେ ଏଣିକି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ୭୫% ଚାକିରି ସଂରକ୍ଷଣ ହୋଇ ରହିବ। ଏହି କମ୍ପାନୀ ଗୁଡ଼ିକ ସରକାରଙ୍କ ଠାରୁ କୌଣସି ସହାୟତା ପାଉ ନଥିଲେ ବି ସ୍ଥାନୀୟ ଲୋକଙ୍କୁ ନିଜ ସଂସ୍ଥାରେ ଚାକିରି ଦେବେ। ଏ ସଂକ୍ରାନ୍ତ ଏକ ବିଲ ଆନ୍ଧ୍ର ପ୍ରଦେଶ ବିଧାନସଭାରେ ପାରିତ ହୋଇଛି।

ବିଲ୍‌ ଅନୁଯାୟୀ, ଘରୋଇ କମ୍ପାନୀରେ ଚାକିରି ପାଇଁ ଯଦି ଜଣେ ଯୋଗ୍ୟ ନଥିବ, ତା’ହେଲେ ଉକ୍ତ କମ୍ପାନୀ ପ୍ରଥମେ ଆଶାୟୀ ମାନଙ୍କୁ ଏନେଇ ତାଲିମ ଦେବ। ଏଥିପାଇଁ ରାଜ୍ୟ ସରକାର ସହଯୋଗ କରିବେ। ଟ୍ରେନିଂ ଶେଷ ହେବା ପରେ କମ୍ପାନୀ ସମସ୍ତଙ୍କୁ ଚାକିରି ଦେବ। ଏହାଦ୍ୱାରା ଯୋଗ୍ୟତା ନଥିବା ଆଳରେ ଚାକିରି ପାଇଁ ସ୍ଥାନୀୟ ଲୋକଙ୍କୁ ମନା କରୁଥିବା କମ୍ପାନୀ ଆଉ ଖସି ପାରିବେ ନାହିଁ। ଖାଲି ସେତିକି ନୁହେଁ, ପ୍ରତି ୪ ମାସରେ କମ୍ପାନୀ ଗୁଡ଼ିକ କେତେ ପରିମାଣର ସ୍ଥାନୀୟ ଲୋକଙ୍କୁ ଚାକିରି ଦେଲେ, ସେ ସମ୍ପର୍କରେ ସରକାରଙ୍କୁ ରିପୋର୍ଟ ମଧ୍ୟ ଦେବେ। ଏନେଇ ସରକାରଙ୍କ ପକ୍ଷରୁ ଏକ ନୋଡାଲ ଅଫିସର ନିଯୁକ୍ତ କରାଯିବ।

ପୂର୍ବରୁ ଅନେକ ରାଜ୍ୟ ଘରୋଇ କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ଚାକିରି ଦେବେ ବୋଲି ବାରମ୍ବାର କହୁଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରିପାରି ନାହାନ୍ତି। କିନ୍ତୁ ଆନ୍ଧ୍ର ପ୍ରଦେଶର ଜଗନ ମୋହନ ସରକାର ଏହାକୁ କରି ଦେଖାଇଛନ୍ତି। ଜୁଲାଇ ୯ରେ ମଧ୍ୟପ୍ରଦେଶ ସରକାର ଘରୋଇ କମ୍ପାନୀରେ ସ୍ଥାନୀୟ ଲୋକଙ୍କ ପାଇଁ ୭୦% ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ହେଲେ ସରକାର ଏନେଇ ଆଇନ୍‌ ପ୍ରଣୟନ କରିପାରି ନାହାନ୍ତି। ଏଭଳି ଦାବି କର୍ଣ୍ଣାଟକା, ଗୁଜରାଟ ଓ ମହାରାଷ୍ଟ୍ରରେ ମଧ୍ୟ ଉଠିଥିଲା। ହେଲେ ଏଯାଏ ପୂରଣ ହୋଇନାହିଁ।

By amfnews

Related Post