Thu. Jul 9th, 2026

ବଡ଼ପଣ୍ଡା ପଦବୀକୁ ନେଇ ବିବାଦ: ସନ୍ଧ୍ୟାରେ ହେବାକୁ ଥିବା ପୂଜା ରାତି ୨ଟାରେ ହେଲା

178 Views

ଜଗତସିଂହପୁର : ଚିତାଲାଗି ଅମାବାସ୍ୟାର ସ୍ୱତନ୍ତ୍ର ପୂଜା କରିବାକୁ ନେଇ ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠରେ ଦେଖାଦେଇଛି ବିବାଦ।  କିଛି ଦିନ ପୂର୍ବେ ବଡ଼ପଣ୍ଡା ରୂପେ ସ୍ୱୀକୃତି ପାଇଥିବା ୨ ଜଣ ପଣ୍ଡା ଏହି ପୂଜା କରିବାକୁ ଅଡ଼ି ବସିଲେ। ଫଳରେ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପୂଜା ରାତି ୨ଟାରେ ହୋଇଥିଲା।

ମା’ଶାରଳାଙ୍କ ବଡ଼ପଣ୍ଡା ଭାବେ ପ୍ରଜ୍ଞାଦୀପ୍ତ ପଣ୍ଡା ଦାୟିତ୍ୱ ତୁଲାଇ ଆସୁଛନ୍ତି। ହେଲେ ବଡ଼ପଣ୍ଡା ପରିବାରର ଅନ୍ୟ ଜଣେ ସଦସ୍ୟ ରଞ୍ଜନ ପଣ୍ଡା ଏହାକୁ ବିରୋଧ କରି  ଦେବୋତ୍ତର କମିଶନରେ ଆବେଦନ କରିଥିଲେ। ଏହାକୁ ବିଚାର କରି କମିଶନର ଗତ ମେ’ ୨୯ ତାରିଖରେ ଦେଇଥିବା ନିର୍ଦ୍ଦେଶନାମାରେ ଉଭୟ ପ୍ରଜ୍ଞାଦୀପ ଓ ରଞ୍ଜନଙ୍କୁ ବଡ଼ପଣ୍ଡା ଭାବେ ସ୍ୱୀକୃତି ଦେଇଥିଲେ।

ଏହି ଆଦେଶକୁ ଭିତ୍ତି କରି ଗତକାଲି ରଞ୍ଜନ ଚିତାଲାଗି ଅମାବସ୍ୟାର ସ୍ୱତନ୍ତ୍ର ପୂଜା କରିବାକୁ ଅଡ଼ି ବସିଥିଲେ। ଫଳରେ ଆରମ୍ଭ ହେଲା ବିବାଦ। ଏନେଇ ଖବର ପାଇ ମନ୍ଦିର ଟ୍ରଷ୍ଟି ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି ଓ ତିର୍ତ୍ତୋଲ ଏସ୍‌ଡିପିଓ ଦୀପକ ଜେନା ମନ୍ଦିରରେ ପହଞ୍ଚି ଉଭୟଙ୍କ ସହିତ ଆଲୋଚନା କରିଥିଲେ।  ଘଟଣାର ଆପୋସ ସମାଧାନ ପରେ ରାତି ଦୁଇଟାରେ ମାଆଙ୍କ ନୀତି ଆରମ୍ଭ ହୋଇଥିଲା। ଅନ୍ୟପକ୍ଷରେ ଆଜି ଉଭୟ ପକ୍ଷ ଦେବୋତ୍ତର କମିଶନଙ୍କ ନିର୍ଦ୍ଦେଶନାମା ସହିତ ମା’ ଶାରଳାଙ୍କ ଟ୍ରଷ୍ଟି ଜିଲ୍ଲାପାଳଙ୍କୁ ଭେଟିବେ। ସେଠାରେ ଏହି ବିବାଦର ସମାଧାନ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

By amfnews

Related Post