Thu. Jul 2nd, 2026

‘ବଡ଼ ଆଖଡ଼ା ମଠକୁ ବିପଦସଙ୍କୁଳ ଦର୍ଶାଇବାକୁ ଚାଲିଛି ଅପଚେଷ୍ଟା’

307 Views

ପୁରୀ :  ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ଜୋରସୋରରେ ଚାଲିଥିବା ବେଳେ ମଠ ଭଙ୍ଗାଯିବା ଘଟଣାକୁ  ସହଜେ ହଜମ କରି ପାରୁନାହାନ୍ତି ସାଧୁସନ୍ଥ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ରବିବାର ଓ ସୋମବାର ୨ ଦିନ ସରକାରୀ ଛୁଟି ଥିବାରୁ ବନ୍ଦ ରହିଥିଲା ଉଚ୍ଛେଦ ପ୍ରକ୍ରିୟା।  ଆଜିଠୁ ପୁଣି ଆରମ୍ଭ ହୋଇଯାଇଛି ଏହି ଅଭିଯାନ। ଏମାର ଓ ଲଙ୍ଗୁଳି ମଠ ମାଟିରେ ମିଶିବା ପରେ ଏବେ ବଡ଼ ଆଖଡ଼ା ମଠର ପାଳି ପଡ଼ିଛି ।

ବଡ଼ ଆଖଡ଼ା ମଠରେ ନିଖିଳ ଭାରତ ସାଧୁସନ୍ଥ ସମିତି ଅଧ୍ୟକ୍ଷ ଶଙ୍କରାନନ୍ଦ ଗିରିଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଏଭଳି ଭଙ୍ଗା କାର୍ଯ୍ୟକୁ  ତୀବ୍ର ବିରୋଧ କରାଯାଇଛି। ମଠାଧିଶଙ୍କ ସହମତି ନ ନେଇ ମଠ ଭଙ୍ଗାଯିବାକୁ ତୀବ୍ର ସମାଲୋଚନା କରାଯାଇଛି। ଏଥିନିମନ୍ତେ ପ୍ରଶାସନ ପକ୍ଷରୁ ଚାପ ପ୍ରୟୋଗ ହେଉଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ଯେପରି ବିଶ୍ୱସ୍ତରୀୟ ଐତିହ୍ୟ. ସେହିପରି ଏଠାରେ ଥିବା ମଠଗୁଡ଼ିକ ବହୁ ପ୍ରାଚୀନ, ଏହା ବହୁ ଇତିହାସର ଗାଥା ବହନ କରୁଛି , ଏହା ମଧ୍ୟ ଐତିହ୍ୟ ସମ୍ପନ୍ନ ବୋଲି ଯୁକ୍ତି ବାଢ଼ିଛନ୍ତି ଶଙ୍କରାନନ୍ଦ ଗିରି।

ବଡ଼ ଆଖଡ଼ା ମଠ ବିପଦସଙ୍କୁଳ ନ ଥିବା ବେଳେ ପ୍ରଶାସନ ପକ୍ଷରୁ ଏଥିନିମନ୍ତେ ଚାପ ପ୍ରୟୋଗ ହେଉଛି। ଏଣ୍ଡୋମେଣ୍ଟ କମିଶନ କିମ୍ବା ASI ମଠକୁ ବିପଦ ସଂକୁଳ ବୋଲି କହି ନାହାନ୍ତି। କିନ୍ତୁ ମଠକୁ ବିପଦ ସଂକୁଳ ଦର୍ଶାଇ ଏଥିନିମନ୍ତେ ଆବଶ୍ୟକ ଦସ୍ତାବିଜରେ ଦସ୍ତଖତ ପାଇଁ ବାଧ୍ୟ କରାଯାଉଥିବା  ଅଭିଯୋଗ ଆସିଛି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ମନୋମୁଖୀ ଶାସନ ଚଳାଇଛନ୍ତି ବୋଲି ମଠ ମହନ୍ତ ଏହି ବୈଠକରେ କହିଛନ୍ତି। ପ୍ରଶାସନର ଏଭଳି କାର୍ଯ୍ୟ ମଠ ସଂସ୍କୃତି ଓ ପରମ୍ପରା ଉପରେ ଆକ୍ରମଣ ବୋଲି ମତ ପ୍ରକାଶ ପାଇଛି।

By amfnews

Related Post