Mon. Oct 12th, 2026

ବିଧାନସଭାରେ ଦୁଃଖ ପ୍ରକାଶ କଲେ ବାଚସ୍ପତି

218 Views

ଭୁବନେଶ୍ବର: ବିଧାନସଭା ବାଚସ୍ପତି ଭଳି ଅତି ଗୁରୁତ୍ବପୂର୍ଣ୍ଣ ଆସନରେ ବସି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଶୂନ୍ୟକାଳରେ ନିଜ ଆସନରେ ବସି ନିଜ ଭୁଲ ସ୍ବୀକାର କରିଥିଲେ। କହିଥିଲେ ଯେ ସେ ବିରୋଧୀ ଦଳ ନେତାଙ୍କ କଥା ଠିକ୍ ଭାବେ ବୁଝିପାରିନଥିଲେ। ଏଣୁ ସେ ସରି ବା ଦୁଃଖିତ। ବାଚସ୍ପତିଙ୍କ ଏଭଳି ମନ୍ତବ୍ୟ କିଛି ବିଧାୟକଙ୍କୁ ବିସ୍ମିତ କରିଥିଲା। ମାତ୍ର ଏହାକୁ ଅତ୍ୟନ୍ତ ହାଲୁକା ନେଇ ବାଚସ୍ପତି ପୁଣି କହିଥିଲେ ଯେ ବିରୋଧୀ ଦଳ ନେତା ତାଙ୍କ ସହଯୋଗୀ।

ଗତକାଲି ଅପରାହ୍ନରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବିଧାନସଭାରେ ସ୍ମିତାରାଣୀ ପ୍ରସଙ୍ଗରେ କହିବା କ୍ଷଣି ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ବିରୋଧୀ ଦଳ ନେତା କହିଥିଲେ ଯେ ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ସଂପର୍କରେ ସମସ୍ତଙ୍କର ଜାଣିବା ଅଧିକାର ଅଛି। ଯଦି ସେ ଆତ୍ମହତ୍ୟା କରିଥିଲେ, ରୂପେଶ ପୁଲିସକୁ କାହିଁକି ଖବର ଦେଲେନି। କେଉଁ ଗାଡ଼ିରେ ତାଙ୍କୁ ହସ୍ପିଟାଲ ନେଇଥିଲେ, ଫଟୋ କାହିଁକି ଉଠାଇଲେନି ବୋଲି ସେ ପ୍ରଶ୍ନ କରିଥିଲେ। ତେବେ ଏହାପରେ ତାଙ୍କୁ ଅଧିକ ଆଲୋଚନା କରିବାର ସୁଯୋଗ ନ ଦେଇ ବାଚସ୍ପତି ଗୃହକୁ ମୁଲତବୀ କରି ଦେଇଥିଲେ। ଏହାକୁ ନେଇ ବିରୋଧୀ ଦଳ ନେତା କ୍ଷୁବ୍ଧ ହୋଇ ଗୃହ ଚଳାଇ ଦେବେନି କହିଥିଲେ। ତେବେ ଆଜି ବିଧାନସଭା ସ୍ବାଭାବିକ ହୋଇଥିଲା। ଶୂନ୍ୟକାଳରେ ବାଚସ୍ପତି ଏ ସଂକ୍ରାନ୍ତରେ ମତ ରଖିଥିଲେ।

By amfnews

Related Post