Sat. May 16th, 2026

ବିଜୁଳି ଆଘାତରେ ୧୦ ବର୍ଷୀୟ ବାଳିକା ମୃତ ଓ ଅନ୍ୟ ଜଣେ ଆହତ

226 Views

ଯାଜପୁର: ଶୁକ୍ରବାର ସକାଳେ ଟାଉନ୍‌ ଥାନା ଅନ୍ତର୍ଗତ କୁସୁମା ନିକଟରେ ବିଜୁଳି ଆଘାତ ଯୋଗୁଁ ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ମୃତା ନାବାଳିକା ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଶିବ ମୁଣ୍ଡାଙ୍କ ୧୦ ବର୍ଷୀୟ ତୁଳସୀ ଚାମ୍ପିଆ।ତୁଳସୀ ମାମୁଘରେ ରହି ପଢୁଥିଲେ। ପ୍ରଥମାଷ୍ଟମୀ ଅବସରରେ ସେ ତାଙ୍କ ମାଆଙ୍କ ପାଖକୁ ଆସିଥିଲେ।

ଆହତ ବ୍ୟକ୍ତିଜଣକ ହେଉଛନ୍ତି ସଦର ଥାନା ଅଧୀନ କାଳିନ୍ଦ୍ରାବାଦ ଗ୍ରାମର ୩୫ ବର୍ଷିୟ ଅଭିମନ୍ୟୁ ଜେନା। ବିଜୁଳିଖୁଣ୍ଟରୁ ଅଭିମନ୍ୟୁଙ୍କ ଘରକୁ ଟଣାଯାଇଥିବା ସର୍ଭିସ୍‌ ତାର ଛିଡ଼ି ତଳେ ପଡ଼ିବା କାରଣରୁ ଏ ଭଳି ଅଘଟଣ ଘଟିଛି।

ସକାଳ ପ୍ରାୟ ୭ଟା ପୂର୍ବରୁ ସବୁଦିନ ପରି ଅଭିମନ୍ୟୁଙ୍କ ଘର ପାଖ ଦେଇ ପଡ଼ିଥିବା ଜଙ୍ଗଲିଆ ରାସ୍ତାରେ କିଛି ପିଲା ପାଣି ପାଇଁ ଯାଇଥିଲେ। ସେତେବେଳେ ସର୍ଭିସ୍‌ ତାର ଛିଡ଼ି ନ ଥିଲା, କିନ୍ତୁ ସେ ପିଲାମାନେ ଫେରିବା ସମୟରେ ବିଜୁଳି ତାର ଛିଡ଼ି ଯାଇଥିଲେ ବି ସେଥିପ୍ରତି କାହାରି ଲକ୍ଷ୍ୟ ନ ଥିଲା।

ଘରକୁ ଟଣାଯାଇଥିବା ତାରଟି ଓହଳିଥିବା ଦେଖି ଅଭିମନ୍ୟୁ ଧରିପକାଇବାରୁ ବିଜୁଳି ଆଘାତ ପାଇଥିଲେ। ତୁରନ୍ତ ତାଙ୍କ ଘରଲୋକେ ଧାଇଁ ଆସି ବାଡ଼ି ଯୋଗେ ବାଡ଼ାବାଡ଼ି କରି ତାଙ୍କୁ ଉଦ୍ଧାର କରୁଥିବା ବେଳେ କିଛି ଦୂରରେ ଝିଅଟିଏ ମରି ପଡ଼ିଥିବାର ଦେଖିଥିଲେ। ଉଭୟଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ଝିଅ ତୁଳସୀ ମୃତା ବୋଲି ଡାକ୍ତରମାନେ ଘୋଷଣା କରିଥିଲେ। ଅଭିମନ୍ୟୁଙ୍କର ଚିକିତ୍ସା ଚାଲିଛି।

By amfnews

Related Post