Wed. Sep 30th, 2026
423 Views

ପୁରୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ବାଲୁକା କଳା ମାଧ୍ୟମରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପୁରୀ ବେଳାଭୂମିରେ ସେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ପ୍ରାୟ ୫ ଟନ୍ ବାଲିରେ ଏହି ବାଲୁକା କଳା ନିର୍ମିତ ହୋଇଛି। ଏହାର ଓସାର ପ୍ରାୟ ୧୦ ଫୁଟ ରହିଛି। ପ୍ରାୟ ୫ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ମାନସ ସାହୁ ଏହି ବାଲୁକା କଳା ନିର୍ମାଣ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ମଧ୍ୟାହ୍ନ ୧୨ଟା ୦୭ ମିନିଟ୍‌ରେ ଦିଲ୍ଲୀ ଏମ୍ସରେ ଶ୍ରୀ ଜେଟଲୀଙ୍କ ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା।  ଅଗଷ୍ଟ ୯ରୁ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା। ଗତବର୍ଷ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ୍ ପରଠାରୁ ସେ ସବୁ ବେଳେ ଅସୁସ୍ଥ ରହୁଥିଲେ। ଗତ ମେ’ ମାସରେ ବି ତାଙ୍କୁ କିଛି ଦିନ ପାଇଁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଅସୁସ୍ଥତା କାରଣରୁ ସେ ଏଥର ସାଧାରଣ ନିର୍ବାଚନ ଲଢ଼ି ନଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ସରକାରରେ ପୁଣି ଥରେ ଅର୍ଥମନ୍ତ୍ରୀ ହେବାକୁ କୁହାଯାଇଥିଲେ ବି ସେ ଏହାକୁ ବିନମ୍ରତାର ସହ ଅଗ୍ରାହ୍ୟ କରି ଦେଇଥିଲେ।

By amfnews

Related Post