Thu. Jul 30th, 2026

ବାତିଲ ହେଲା ଧର୍ମଶାଳା ପଞ୍ଚାୟତ ସମିତି ବୈଠକ : ବୈଠକ ସ୍ଥଳକୁ ନେଇ ମୁହାଁମୁହିଁ

180 Views

ଧର୍ମଶାଳା : ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ପଞ୍ଚାୟତ ସମିତି ବୈଠକରେ ଆଜି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସଭାଗୃହକୁ ନେଇ ଶାସକଦଳ ସମର୍ଥିତ ସମିତି ସଭ୍ୟସଭ୍ୟା ହୋ’ହଲ୍ଲା କରିବା ସହିତ ବୈଠକ ବର୍ଜନ କରିଛନ୍ତି।

ସୂଚନା ଅନୁସାରେ, । ପଞ୍ଚାୟତ ସମିତି ସଭାଗୃହରେ ଆଜି ଅପରାହ୍ନରେ ବୈଠକ ଆରମ୍ଭ ହୋଇଥିଲା। ପ୍ରଥମେ ସମିତି ପକ୍ଷରୁ ନବନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ପୂର୍ବ ବିବରଣୀ ପାଠ କରିଥିଲେ। ପରେ ସାଂସଦ ଓ ବିଧାୟକ ନିଜ ନିଜର ବକ୍ତବ୍ୟ ରଖିଥିଲେ। ବିଡିଓ ବୈଠକର କାର୍ଯ୍ୟସୂଚୀ ପଢିବା କ୍ଷଣି ବୈଠକ ସ୍ଥଳକୁ ନେଇ ସଭ୍ୟସଭ୍ୟାମାନେ ହୋ’ହହ୍ଲା ଆରମ୍ଭ କରିଦେଇଥିଲେ। ଜାରକାସ୍ଥିତ କଳ୍ପତରୁ ଦାସ ଷ୍ଟାଡିୟମ ପରିସରରେ ନିର୍ମିତ ସଭାଗୃହ ବଦଳରେ ସମିତି ପରିସର ସଭାଗୃହରେ କାହିଁକି ବୈଠକ କରାଗଲା, ବୋଲି ପ୍ରଶ୍ନ କରିଥିଲେ। ଏହାପରେ ସଭ୍ୟସଭ୍ୟାମାନେ କକ୍ଷ ତ୍ୟାଗ କରିଥିବାବେଳେ ପ୍ରକୋଷ୍ଠରେ କେବଳ ଚହଟା ସମିତିସଭ୍ୟ ମନୋଜ ରାଉଳ, ସୁନ୍ଦରିଆ ସମିତିସଭ୍ୟା ରିଲୁ ବେହୁରା ଓ ସରକାରୀ କର୍ମଚାରୀ ବସି ରହିଥିଲେ। ପରେ ଅଧ୍ୟକ୍ଷ ବୈଠକ ବାତିଲ ଘୋଷଣା କରିଥିଲେ।

ଆଜିର ଘଟଣା ପରେ ଧର୍ମଶାଳା ପଞ୍ଚାୟତ ସମିତି ବୈଠକ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏବେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ବିଦେଶ ଗସ୍ତରେ ଥିବା ବେଳେ ଭାରପ୍ରାପ୍ତ ଜିଲ୍ଲାପାଳ ଏହାକୁ କିପରି ସମାଧାନ କରୁଛନ୍ତି ତା ଉପରେ ସମସ୍ତଙ୍କର ନଜର ରହିଛି। ସଭାସ୍ଥଳକୁ ନେଇ ଶାସକ ଦଳ ଓ ଜିଲ୍ଲାପାଳ ମୁହାଁମୁହିଁ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

By amfnews

Related Post