Fri. Oct 16th, 2026

ବାଇକ୍ ନେଇ ଫେରାର ହୋଇଯାଇଥିଲେ, ଧରା ପଡ଼ିବା ପରେ ନିସ୍ତୁକ ମାଡ଼ ଖାଇଲେ

217 Views

ଯାଜପୁର : ବାଇକ୍‌ ଚୋରି କରି ନେଇଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ସର୍ବ ସମ୍ମୁଖରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଛି। ଏ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ଗାଁରେ।

ଅଭିଯୋଗ ଅନୁସାରେ, ଶୁକ୍ରବାର ଦିନ ପ୍ରଶାନ୍ତ ନାମକ ଜଣେ ଯୁବକ ବାଇକ୍‌ରେ ଯାଜପୁର ରୋଡ୍‌ ଦଳା ଛକରୁ ପାଣିକୋଇଲି ଯିବା ବାଟରେ ଅଭିଯୁକ୍ତ ଯୁବକ ତାଙ୍କୁ ଲିଫ୍ଟ ମାଗିଥିଲେ। ପ୍ରଶାନ୍ତ ତାଙ୍କୁ ଲିଫ୍ଟ ଦେଇଥିଲେ। ତାଙ୍କୁ ସାଙ୍ଗରେ ନେଇ ସେ ପାଣିକୋଇଲିରେ ପହଞ୍ଚିଥିଲେ। ତେବେ ସେଠାରେ ସମ୍ପୃକ୍ତ ଯୁବକ ଜଣଙ୍କ ପାଖରୁ ଆସୁଛି କହି ତାଙ୍କ ନିକଟରୁ ବାଇକ୍ ଧରି ଫେରାର ହୋଇଯାଇଥିଲେ।

ପ୍ରଶାନ୍ତ ଯୁବକ ଜଣଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଗତକାଲି ହଠାତ୍‌ ଯାଜପୁର ରୋଡ୍ ଥାନା କୋପଣ୍ଡ ଗାଁରେ ଯୁବକ ଜଣକ ଥିବା ନେଇ ସେ ଖବର ପାଇଥିଲେ। ତା’ପରେ ପ୍ରଶାନ୍ତ ତାଙ୍କର କିଛି ସାଙ୍ଗକୁ ନେଇ ସେଠାକୁ ଯାଇଥିଲେ ଓ ସଂପୃକ୍ତ ଯୁବକ ଏବଂ ବାଇକ୍‌କୁ ନିଜ ଗାଁ ଲକ୍ଷ୍ମୀନଗରକୁ ଆଣିଥିଲେ। ଗାଁରେ ସେମାନେ ଉକ୍ତ ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।

ପାଣିକୋଇଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଶଙ୍ଖଚିଲା ଫାଣ୍ଡିରେ ଅଟକ ରଖିଛି। ବାଇକ୍ ଚୋରି ହୋଇଥିବା ନେଇ ପ୍ରଶାନ୍ତ ଗତକାଲି ଶଙ୍ଖଚିଲା ଫାଣ୍ଡିରେ ଅଭିଯୋଗ କରିଥିଲେ।

By amfnews

Related Post