Sat. Sep 5th, 2026

ବାଂଲାଦେଶ ଅତିକ୍ରମ କରୁଛି ବାତ୍ୟା ‘ବୁଲ୍‌ବୁଲ୍‌’; ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ପାଗ କାଉଁଳିଆ

190 Views

ଭୁବନେଶ୍ୱର: ଶନିବାର ରାତିରେ ସ୍ଥଳଭାଗକୁ ଆସିବା ପରେ ଉଗ୍ର ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ଗତ ୬ ଘଣ୍ଟା ହେବ ଘଣ୍ଟାକୁ ୧୭ କିଲୋମିଟର ବେଗରେ ପୂର୍ବ-ଉତ୍ତରପୂର୍ବ ଆଡ଼େ ମୁହାଁଇବା ସହ ସାମୁଦ୍ରିକ ବତାସରେ ପରିଣତ ହୋଇଥିବା କଥା ଭାରତୀୟ ପାଣିପାଗ ସଂସ୍ଥାନ ବୁଲେଟିନ୍‌ରୁ ଜଣାପଡ଼ିଛି।

ବତାସ ପ୍ରବାହିତ ହୋଇଯାଇଥିଲେ ବି ଆଜି ରାଜ୍ୟର ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରର ଆକାଶ କାଉଁଳିଆ ରହିଛ। ରାଜ୍ୟର ବାକି ୨୭ଟି ଜିଲ୍ଲାର ପାଗ ଖରାଟିଆ ରହିଛି।

ରବିବାର ସକାଳ ୫: ୩୦ ସୁଦ୍ଧା ଏହା ଉପକୂଳବର୍ତ୍ତୀ ବାଂଲାଦେଶ ଏବଂ ଆଖପାଖ ଅଞ୍ଚଳ- ପଶ୍ଚିମବଙ୍ଗର ୧୬୦ କିଲୋମିଟର ସାଗରଦ୍ୱୀପର ପୂର୍ବ-ଉତ୍ତରପୂର୍ବ, ସୁନ୍ଦରବନ ଜାତୀୟ ଉଦ୍ୟାନର ପୂର୍ବ-ଉତ୍ତରପୂର୍ବକୁ ୭୫ କିଲୋମିଟର, କୋଲ୍‌କାତାର ପୂର୍ବ-ଉତ୍ତରପୂର୍ବର ୧୩୦ କିଲୋମିଟର୍‌ ଏବଂ ବାଂଲାଦେଶର ଖେପୁପପଡ଼ାର ପଶ୍ଚିମ-ଉତ୍ତରପଶ୍ଚିମକୁ ୭୫ କିଲୋମିଟର- ମଧ୍ୟରେ କେନ୍ଦ୍ରୀଭୂତ ହୋଇଛି।

ଏହା ପୂର୍ବ-ଉତ୍ତରପୂର୍ବ ଦେଇ ବାଂଲାଦେଶ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଉପକୂଳବର୍ତ୍ତୀ ବାଂଲାଦେଶ ଉପରେ ଗଭୀର ଅବପାତ ପାଲଟିବା ପରେ ପୁଣି ପରବର୍ତ୍ତୀ ୬ ଘଣ୍ଟାରେ ଲଘୁଚାପ ପାଲଟିବ।

ଏହାର ପ୍ରଭାବରେ ପରବର୍ତ୍ତୀ ୬ ଘଣ୍ଟା ଧରି ପଶ୍ଚିମବଙ୍ଗର ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା, ପୂର୍ବ ମେଦିନିପୁର ଏବଂ ନଦୀୟା ଜିଲ୍ଲାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।

ଏହାଛଡ଼ା ଦକ୍ଷିଣ ଆସାମ ଏବଂ ମେଘାଳୟ, ତ୍ରିପୁର ଏବଂ ମିଜୋରାମ ଭଳି ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟାକୁ ୮୦ ରୁ ୯୦ କିଲୋମିଟର ରହୁଥିବାରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ଉପଦେଶ ଦିଆଯାଇଛି।

By amfnews

Related Post