Fri. Apr 24th, 2026

ବସ୍ତାନି ବୋଝ ଯାଞ୍ଚ କରିବ ସ୍କ୍ବାଡ୍‌

189 Views

ଭୁବନେଶ୍ବର : ୨୦୧୯-୨୦ ଶିକ୍ଷାବର୍ଷରୁ ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡ଼ାକଡ଼ି କରିବାକୁ ଗତ ମାର୍ଚ୍ଚ ମାସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଅଧିକାଂଶ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିୟମକୁ ପାଳନ କରୁ ନାହାନ୍ତି। ସ୍କୁଲଗୁଡ଼ିକ ନିୟମକୁ ଖୁଲମ୍‌ଖୋଲା ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେବା ପରେ ଏବେ ପୁଣିଥରେ କଡ଼ା ଭାଷାରେ ପ୍ରାଥମିକ ଓ ମାଧ୍ୟମିକ ନିର୍ଦେଶାଳୟ ନିର୍ଦେଶକଙ୍କ ନିକଟକୁ ଚିଠି ଲେଖିଛି ବିଭାଗ।

ନିର୍ଦେଶରେ କୁହାଯାଇଛି ସ୍କୁଲ ବ୍ୟାଗ୍‌ ଓଜନ ଯାଞ୍ଚ ଲାଗି ଜିଲ୍ଲାସ୍ତରରେ ସ୍କ୍ବାଡ୍‌ ଗଠନ କରାଯିବ। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)/ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି) ଏହାର ଅଧ୍ୟକ୍ଷ ରହିବେ। ବ୍ଲକ ଶିକ୍ଷା ଅଧିକାରୀ, ଡିସିପିଓ, ଥାନା ଅଧିକାରୀ, ସ୍ବେଚ୍ଛାସେବୀ ସଙ୍ଗଠନ ଓ ଜିଲ୍ଲାପାଳଙ୍କ ଦ୍ବାରା ଚୟନ ହୋଇଥିବା ଅଧିକାରୀମାନେ ଏହି ସ୍କ୍ବାଡ୍‌ର ସଦସ୍ୟ ରହିବେ। ଏହି ସ୍କ୍ବାଡ୍‌ ବିଭିନ୍ନ ସମୟରେ ସରକାରୀ ଓ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକୁ ଗସ୍ତ କରି ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ୍‌ର ଯାଞ୍ଚ କରିବେ। ସିବିଏସ୍‌ଇ ଓ ଆଇସିଏସ୍‌ଇ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକୁ ବି ଅଚାନକ ଚଢ଼ଉ କରିପାରିବେ। ଯେଉଁ ସ୍କୁଲଗୁଡ଼ିକ ବିରୋଧରେ ଅଭିଯୋଗ ଆସିଛି, ତାହାକୁ ପ୍ରାଥମିକତା ଦେଇ ଯାଞ୍ଚ କରିବାକୁ କୁହାଯାଇଛି। ସେପ୍ଟେମ୍ବର ୩୦ ସୁଦ୍ଧା‌ ସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଗାଇଡଲାଇନ୍‌ରେ କୁହାଯାଇଛି ଯେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ୧.୫ କେଜିରୁ ଅଧିକ ହେବ ନାହିଁ। ୩ୟରୁ ୫ମ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ର ଓଜନ ୨ରୁ ୩ କିଲୋ ମଧ୍ୟରେ ରହିବ। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ହୋମୱାର୍କ ଦିଆଯିବ ନାହିଁ। ସ୍କୁଲରେ ପାନୀୟ ଜଳ ସୁବିଧା କରାଯିବ। ଫଳରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଘରୁ ପାଣି ବୋତଲ ଆଣିବାକୁ ପଡ଼ିବନି। ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ର ଓଜନ ୪ କେଜି, ୮ମ ଓ ୯ମ ପିଲାଙ୍କ ବ୍ୟାଗର ଓଜନ ସାଢ଼େ ୪ କେଜି ଓ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ୫ କେଜିରୁ ଅଧିକ ହେବ ନାହିଁ।

By amfnews

Related Post