Fri. Apr 24th, 2026

ବଲିଉଡ୍‌କୁ ଅଲ୍‌ବିଦା କହିଲେ ଦଙ୍ଗଲ ଗାର୍ଲ ଜାଏରା

304 Views

ମୁମ୍ବାଇ  :  ଦଙ୍ଗଲ୍‌ ଗାର୍ଲ ଜାଏରା ୱାସିମ୍‌ଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଦୁଃଖ ଖବର। ‘ଦଙ୍ଗଲ୍‌’ ଓ ‘ସିକ୍ରେଟ୍‌ ସୁପରଷ୍ଟାର୍‌’ ଭଳି ଫିଲ୍ମରେ ନିଜ ଅଭିନୟର ଦକ୍ଷତା ଦେଖାଇ ସାରିଥିବା ଏହି ଅଭିନେତ୍ରୀ ସବୁଦିନ ପାଇଁ ବଲିଉଡ୍‌କୁ ଅଲ୍‌ବିଦା କହି ଦେଇଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଯୋଗେ ଏହି ସୂଚନା ଦେଇଛନ୍ତି।

ହଠାତ୍‌ ଏହି ଖବର ଦେଇ ଜାଏରାଙ୍କ ଫ୍ୟାନ୍‌ଙ୍କୁ ଚକିତ କରି ଦେଇଛନ୍ତି। ସେ ଇନଷ୍ଟାଗ୍ରାମ୍‌ରେ ଲେଖିଛନ୍ତି,“୫ ବର୍ଷ ପୂର୍ବରୁ ବଲିଉଡ୍‌ରେ ପାଦ ରଖିଥିଲି। ଆଉ ଏହା ମୋ ଜୀବନଶୈଳୀ ବଦଳାଇ ଦେଇଥିଲା। ଖୁବ୍‌ କମ୍‌ ଦିନରେ ମୋତେ ଯେଉଁ ପରିଚୟ ମିଳିଥିଲା, ସେଥିପାଇଁ ମୁଁ ବହୁତ ଖୁସି। ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ଲୋକେ ମୋତେ ବହୁତ ଭଲ ପାଇଛନ୍ତି ଓ ସମର୍ଥନ କରିଛନ୍ତି। ଏବେ ମୁଁ ବଲିଉଡ୍‌ ଛାଡ଼ିବାକୁ ବାଧ୍ୟ ହେଉଛି। ମାୟା ନଗରୀରେ ରହି ମୁଁ ମୋ ନିଜ ଧର୍ମ ଇସ୍‌ଲାମ୍‌ରୁ ଦୂରେଇ ଯାଉଥିବା ଅନୁଭବ କରୁଛି। ତେଣୁ ବଲିଉଡ୍‌ ଛାଡ଼ିବାକୁ ନିଷ୍ପତ୍ତି ନେଇଛି।”

ସେ ଆହୁରି ଲେଖିଛନ୍ତି,“ମୁଁ ମୋ ଜୀବନରେ ପାଇଥିବା ସଫଳତାରେ ବହୁତ ଖୁସି । କିନ୍ତୁ ଏହା ସେହି ପରିଚୟ ନୁହେଁ, ଯାହା ମୁଁ ମୋ ଜୀବନରେ ଚାହୁଁଥିଲି। ଫିଲ୍ମ ଇଣ୍ଡଷ୍ଟ୍ରିରେ ରହିବା ଯୋଗୁ ଇସ୍‌ଲାମ୍‌ ଧର୍ମରୁ ଦୂରେଇ ଯାଉଛି। ତେଣୁ  ଇସ୍‌ଲାମ୍‌ ଧର୍ମ ଯାହା କହୁଛି, ସେହି ଅନୁସାରେ ଚାଲିବା ଆବଶ୍ୟକ ବୋଲି ମୁଁ ଅନୁଭବ କରୁଛି। ବହୁତ ଭାବିବା ପରେ ମୁଁ ଏଭଳି ନିଷ୍ପତ୍ତି ନେଇଛି।”

୨୦୧୬ରେ ରିଲିଜ୍‌ ହୋଇଥିବା ସୁପରହିଟ୍‌ ଫିଲ୍ମ ‘ଦଙ୍ଗଲ୍‌’ରେ ଅଭିନୟ କରି ଜାଏରା ଦଙ୍ଗଲ୍‌ ଗାର୍ଲ ନାମରେ ପରିଚୟ ପାଇଥିଲେ। ବଲିଉଡ୍‌କୁ  ଜାଏରା ଅଲ୍‌ବିଦା କହିବା କଥା ତାଙ୍କ ଫ୍ୟାନ୍‌ମାନଙ୍କୁ ଶକ୍ତ ଧକ୍କା ଦେଇଛି।

By amfnews

Related Post