Mon. Oct 12th, 2026

ବଲାଙ୍ଗୀରରେ ଗଣମାଧ୍ୟମ ପ୍ରସାର ନିର୍ବାହୀଙ୍କୁ ହତ୍ୟା

288 Views

ବଲାଙ୍ଗୀର, ଜାନୁଆରୀ ୩୦ : ଦୈନିକ ଖବରକାଗଜ ‘ସମାଜ’ ବଲାଙ୍ଗୀର ଅଫିସରେ ପ୍ରସାର ନିର୍ବାହୀ ଭାବରେ କାର୍ଯ୍ୟରତ ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ଗଣ୍ଡକିପୁର ଗ୍ରାମର ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କୁ ନିଶାଖୋର ଯୁବକମାନେ ନିର୍ମମ ଭାବରେ ହତ୍ୟା କରିଛନ୍ତି। ପ୍ରତାପଙ୍କ ଛାତି ଓ ପେଟରେ ଛୁରି ଭୁସି ହତ୍ୟା କରାଯାଇଛି। ସୋମବାର ବିଳମ୍ବିତ ରାତିରେ ରେଳ ଷ୍ଟେସନ ରାସ୍ତା ମହାଲକ୍ଷ୍ମୀନଗର ଏଫ୍‌ସିଆଇ ଗୋଦାମ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି।

ପ୍ରତାପ ରାତିରେ ନିଜ କାମ ସାରି ବଲାଙ୍ଗୀର ଅଫିସକୁ ଫେରୁଥିବା ସମୟରେ ଯୁବକମାନେ ତାଙ୍କୁ ଅଟକାଇ ଲୁଟ ଉଦ୍ୟମ କରିଥିଲେ। ସେଥିରେ ବିଫଳ ହେବା ପରେ ଛୁରି ଭୁସିଥିଲେ ବୋଲି ପ୍ରାଥମିକ ତଦନ୍ତ ପରେ ବଲାଙ୍ଗୀର ଏସପି କେ.ଶିବା ସୁବ୍ରମଣୀ କହିଛନ୍ତି। ଏହି ମାମଲାରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ତେଲିଘୋଟପଡ଼ାର ସ୍ୱାଧୀନ ମେହେର (୨୧), ହାତୀପଡ଼ାର ତପନ ନାଏକ (୨୩) ଓ ତୁଫାନ ନାଗ (୩୦) ରହିଛନ୍ତି।

ସେମାନଙ୍କ ପାଖରୁ ପୁଲିସ ହତ୍ୟାରେ ବ୍ୟବହୃତ ଏକ ଛୋଟ ଫୋଲ୍ଡିଂ ଛୁରି, ଅସ୍ତ୍ରୋପଚାରରେ ବ୍ୟବହାର ହେଉଥିବା ସର୍ଜିକାଲ ବ୍ଲେଡ୍‌ ଜବତ କରିଛି। ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ପଚରାଉଚୁରା ବେଳେ ଟଙ୍କା ପାଇଁ ସେମାନେ ପ୍ରତାପଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି ବୋଲି କୁହାଯାଇଛି। ଘଟଣାକୁ ନେଇ ବଲାଙ୍ଗୀର ଟାଉନଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସମଗ୍ର ଘଟଣା ଟଙ୍କା ଲୁଟକୁ ନେଇ ହୋଇଛି ଏବଂ ନିଶାସକ୍ତ ଯୁବକମାନେ ଏହା କରିଛନ୍ତି ବୋଲି ଟାଉନ ଥାନା ପୁଲିସ କହିଛି।

By amfnews

Related Post