Fri. Sep 4th, 2026

ବର୍ଷାରେ ବୁଡ଼ିଲା ବଡ଼ଦାଣ୍ଡ: ମେଡିକାଲ୍ ଛକ, ଭିଆଇପି ରୋଡ୍‌ରେ ୩ ଫୁଟର ଲହଡ଼ି

379 Views

ପୁରୀ  : ଲଘୁଚାପଜନିତ ବର୍ଷାରେ ଆଜି ବଡ଼ଦାଣ୍ଡ ଓ ଏହା ସଂଲଗ୍ନ ଗଳିକନ୍ଦି ଉବୁଟୁବୁ ହୋଇଛି। କୃତ୍ରିମ ବନ୍ୟା ପରିସ୍ଥିତି ଆଜି ଲୋକଙ୍କୁ କଲବଲ କରିଛି। ବଡ଼ଦାଣ୍ଡ ଉପରେ ନଳାପାଣି ମିଶା ବର୍ଷା ଜଳ ୫ ଫୁଟ ଉଚ୍ଚରେ ଆଜି ଲହଡି ଭାଙ୍ଗିବା ସହ ନାଳ ଡେଇଁ ରାସ୍ତାକଡ଼ ଦୋକାନ ଭିତରେ ପଶିଛି। ରଥଯାତ୍ରା ସମୟରେ ନାଳ ସଫେଇ, ସ୍ଲାବ୍ ପକା, ମରାମତି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ ଆଜି ଏହି କୃତ୍ରିମ ବନ୍ୟା ପରିସ୍ଥିତି ପ୍ରଶାସନିକ ଅପାରଗପଣିଆକୁ ସ୍ପଷ୍ଟ କରୁଛି।

ଆଜି ସକାଳୁ ପ୍ରବଳ ବର୍ଷା ବଡ଼ଦାଣ୍ଡ ସହ ପୁରୀ ସହରର ବିଭିନ୍ନ ଗଳିକନ୍ଦିକୁ ଉବୁଟୁବୁ କରିଥିଲା। କେଉଁଠି ଆଣ୍ଠୁଏ ଉଚ୍ଚରେ ତ କେଉଁଠି ଅଣ୍ଟାଏ ଉଚ୍ଚରେ ପାଣି ଜମିଥିଲା। ଆଜି ଅପରାହ୍‌ଣ ୪ଟାରୁ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ଲଗାଣ ବର୍ଷା ହୋଇଥିଲା। ଫଳରେ ଶ୍ରୀମନ୍ଦିରଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ଉପୁଜିଛି। ସବୁଠୁ ଦୟନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା ମେଡିକାଲ୍ ଛକ, ବଳଗଣ୍ଡି ଛକ, ମାଉସୀ ମା’ ଛକରେ। ଏଠାରେ ନଳାପାଣି ବଡ଼ଦାଣ୍ଡ ରାସ୍ତାକଡ଼ ଡ୍ରେନ୍ ଟପି ଦୋକାନ ଘରେ ସବୁ ପଶିଥିବା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ଆଜି ବଡ଼ଦାଣ୍ଡରେ ଚାଲିଚାଲି ଅବା ଗାଡ଼ିମୋଟର ଧରି ଯାଉଥିବା ଲୋକେ କଲବଲ ହୋଇଥିଲେ। ସେହିପରି ମେଡିକାଲ୍ ଛକ ସଂଲଗ୍ନ ଭିଆଇପି ରୋଡ୍, ପ୍ରଭାତ ଲେନ୍ ସହ ଅନ୍ୟାନ୍ୟ ଗଳିକନ୍ଦିରେ ଅଣ୍ଟେ ଉଚ୍ଚରେ ପାଣି ଜମି ରହିଥିଲା।

By amfnews

Related Post