Tue. Jul 14th, 2026

ବର୍ଲିନ୍‌ ପ୍ରାଚୀର ମଧ୍ୟ ଭାଙ୍ଗିଥିଲା: ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଶା କର୍ତାରପୁର କରିଡର୍‌ ଭାରତ ଓ ପାକିସ୍ତାନ ମଧ୍ୟରେ ସେତୁ ସାଜିବ

177 Views

ନୂଆଦିଲ୍ଲୀ, ନଭେମ୍ବର ୨୪: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶାବ୍ୟକ୍ତ କରିଛନ୍ତି ଯେ କର୍ତାରପୁର କରିଡର୍‌ ଭାରତ ଓ ପାକିସ୍ତାନ ମଧ୍ୟରେ ଗୋଟାଏ ସେତୁ ଭଳି କାମ କରିବ। ବର୍ଲିନ୍‌ ପ୍ରାଚୀ ପତ୍ତନର ଉପଲକ୍ଷ ଦେଇ ପ୍ରଧାନମନ୍ତ୍ରୀ ଆଶା କରିଛନ୍ତି ଯେ ପଞ୍ଜାବର ଗୁରୁଦାସପୁର ଜିଲ୍ଲା ଡେରା ବାବା ନାନକ ଠାରୁ ଆନ୍ତର୍ଜାତିକ ସୀମା ଯାଏଁ ପ୍ରସ୍ତାବିତ କରିଡର୍‌ ଦୁଇ ଦେଶର ଭବିଷ୍ୟତରେ ସୁଧାର ଆଣିବ।

ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ସମ୍ପର୍କର ଦୃଢ଼ତାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଲେ, କେହି କ’ଣ ଭାବିଥିଲେ ଯେ ବର୍ଲିନ୍‌ ପ୍ରାଚୀର ଭାଙ୍ଗିଯିବ। ଗୁରୁ ନାନକ ଦେବଜିଙ୍କ ଆଶିଷରୁ କର୍ତାରପୁର କରିଡର୍‌ ଖାଲି କରିଡର୍‌ ହୋଇ ରହିବ ନାହିଁ, ଦୁଇ ଦେଶର ଲୋକଙ୍କ ପାଇଁ ସେତୁ ଭଳି କାମ କରିବ।

ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହର୍‌ସିମ୍ରାତ୍‌ କୌର ବାଦଲଙ୍କ ବାସଭବନରେ ଗୁରୁନାନକ ଦେବଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଦେଶ ବିଭାଜନ ପ୍ରସଙ୍ଗରେ କହିଲେ: ୧୯୪୭ ମସିହାରେ ଯାହା ଘଟିଯାଇଛି, ଯାଇଛି। ସେ କହିଲେ ସରକାର-ସରକାର ଓ ସେନା-ସେନା ମଧ୍ୟରେ ବିବାଦ ଲାଗି ରହିବ। କେବଳ ସମୟ ହିଁ ବାଟ କଢ଼ାଇ ନେଇପାରିବ।

କର୍ତାରପୁର ସାହିବ ରବି ନଦୀର ଆରପାରିରେ ପାକିସ୍ତାନରେ ଅବସ୍ଥିତ ଏବଂ ଡେରା ବାବା ନାନକ ସାହିବ ପୀଠ ଠାରୁ ପ୍ରାୟ ୪ କିଲୋମିଟର ଦୂର। ଏହି କରିଡର୍‌ ନିର୍ମାଣ ହେଲେ ଭାରତୀୟ ଯାତ୍ରୀମାନେ ସୁରୁଖୁରରେ ସେଠାରେ ପହଞ୍ଚି ପାରିବେ।

By amfnews

Related Post