Sun. Apr 26th, 2026

ବନ୍ଧୁକ ଲଗାଇ ଲୁଟି ନେଲେ ୩.୩୨ଲକ୍ଷ ଟଙ୍କା

183 Views

ଦାନଗଦୀ , ଡିସେମ୍ବର ୧୮ : ଯାଜପୁର ଜିଲ୍ଲା ଦାନଗଦୀ ପୁଲିସ ଫାଣ୍ଡି ଠାରୁ ମାତ୍ର ୫୦ ମିଟର ଦୂରରେ ଘଟିଛି ଲୁଟ୍‌। ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁର୍ବୃତ୍ତ ଲୁଟି ନେଇଛନ୍ତି ୩ ଲକ୍ଷ ୩୨ହଜାର ଟଙ୍କା। ଆଜି ଅପରାହ୍ନରେ ଘଟିଛି ଏଭଳି ଘଟଣା। ଅଭିଯୋଗ ପାଇ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ ସଂପର୍କରେ ଟେର୍‌ ପାଇପାରି ନାହିଁ।

ଡ଼ୁବୁରୀ-ଯାଜପୁର ରୋଡ଼ ରାସ୍ତାର ଦାନଗଦୀ ନିକଟ ସିଙ୍ଗାଡ଼ିଆ ଛକ ନିକଟରେ ଥିବା ଗୀତା ପେଟ୍ରୋଲ ପମ୍ପର ମ୍ୟାନେଜର ରାଜନ କୁମାର ସାହୁ(୪୫) ଆଜି ଅପରାହ୍ନ ୩.୪୫ରେ ପମ୍ପରୁ ଏକ ବ୍ୟାଗରେ ୩ଲକ୍ଷ ୩୨ହଜାର ଟଙ୍କା ଧରି ମିଲଟାରୀ ଛକ ନିକଟରେ ଥିବା ଭରତୀୟ ଷ୍ଟେଟବ୍ୟାଙ୍କ୍‌ରେ ଜମା କରିବାକୁ ବାଇକ୍‌ରେ ଆସୁଥିଲେ। ଦାନଗଦୀ ଫାଣ୍ତି ଠାରୁ ମାତ୍ର ୫୦ମିଟର ଦୂରରେ ଏକ ନମ୍ବର ବିହିନ ଗ୍ଲାମର ବାଇକ୍‌ରେ ୩ଜଣ ଦୁର୍ବୃତ୍ତ ପଛରୁ ଆସି କାନ୍ଧରେ ପକାଇଥିବା ଟଙ୍କା ବ୍ୟାଗ୍‌କୁ ଟାଣିଥିଲେ। ବ୍ୟାଗ୍‌ଟି ତଳେ ପଡ଼ିଯିବା କ୍ଷଣି ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଓହ୍ଲାଇ ଟଙ୍କା ବ୍ୟାଗ୍‌କୁ ଉଠାଇଥିବା ବେଳେ ଅନ୍ୟ ଜଣେ ରାଜନଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ପାଟିକଲେ ଗୁଳି କରିଦେବୁ ବୋଲି ଧମକ ଦେଇଥିଲେ ା ରାଜନ ଭୟରେ ଚୁପ୍‌ ରହିଥିବା ବେଳେ ଦୁର୍ବୃତ୍ତମାନେ ଟଙ୍କା ଧରି ଡୁବୁରି ଅଭିମୁଖେ ଚମ୍ପଟ ମାରିଥିଲେ ା ଏନେଇ ପେଟ୍ରୋଲ ପମ୍ପ ମ୍ୟାନେଜର ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଗ୍ରାମର ରାଜନ କୁମାର ସାହୁ ଦାନଗଦୀ ଫାଣ୍ତିରେ ଏତଲା ଦେଇଛନ୍ତି। ଦୁର୍ବୃତ୍ତମାନେ ହେଲମେଟ ପିନ୍ଧିଥିବାରୁ ସେମାନଙ୍କୁ ଚିହ୍ନଟ କରିପାରି ନଥିଲେ ବୋଲି ସେ ଏତଲାରେ ଦର୍ଶାଇଛନ୍ତି ା ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post