Sat. Jul 4th, 2026

ଫ୍ଲୋର୍‌ ଟେଷ୍ଟ୍‍ରେ କୋର୍ଟ ହସ୍ତକ୍ଷେପ ଚାହୁଁଥିବା କର୍ଣ୍ଣାଟକ ବିଧାୟକଙ୍କ ଆବେଦନର ଜରୁରୀ ଶୁଣାଣିକୁ ଅଗ୍ରାହ୍ୟ କଲେ ସୁପ୍ରିମ୍‌ କୋର୍ଟ

307 Views

ନୂଆଦିଲ୍ଲୀ  : କର୍ଣ୍ଣାଟକର କଂଗ୍ରେସ-ଜେଡି(ଏସ୍‌) ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା ଦୁଇଜଣ ସ୍ୱାଧୀନ ବିଧାୟକଙ୍କ ଆବେଦନ ଶୁଣାଣି କରିବାକୁ ସୋମବାର ସକାଳେ ସୁପ୍ରିମ୍‌ କୋର୍ଟ ମନା କରି ଦେଇଛନ୍ତି। ସୋମବାର ସନ୍ଧ୍ୟାସୁଦ୍ଧା ଫ୍ଲୋର୍‌ ଟେଷ୍ଟ୍‍ ସାରିବାକୁ ଜେଡି(ଏସ୍‌)-କଂଗ୍ରେସ ସରକାରଙ୍କୁ ଅଦାଲତ ନିର୍ଦେଶ ଦେଉ ବୋଲି ସେମାନେ ଆବେଦନ କରିଥିଲେ।

ଦୁଇ ସ୍ୱାଧୀନ ବିଧାୟକ ଆର୍‌ ଶଙ୍କର ଏବଂ ଏଚ୍‌ ନାଗେଶ କହିଛନ୍ତି ଯେ କର୍ଣ୍ଣାଟକ ରାଜନୈତିକ ସଙ୍କଟ ମଧ୍ୟକୁ ଲମ୍ଫ ଦେଇଛି। ବରିଷ୍ଠ ଆଡ୍‌ଭୋକେଟ୍‌ ମୁକୁଳ ରୋହତଗି ଏ ଦୁଇ ବିଧାୟକଙ୍କ ତରଫରୁ ଅଦାଲତରେ ହାଜର ହୋଇଥିଲେ। କିନ୍ତୁ, ଜରୁରୀ ଭିତ୍ତିରେ ଏହି ଆବେଦନର ଶୁଣାଣି କରାଇବାକୁ ସୁପ୍ରିମ୍‌ କୋର୍ଟ ମନା କରି ଦେବା ସହ କହିଛନ୍ତି ଯେ କର୍ଣ୍ଣାଟକ ବିଧାନସଭାରେ ପଡ଼ି ରହିଥିବା ଆସ୍ଥାଭୋଟ୍‌ ମାମଲାରେ ହସ୍ତକ୍ଷେପ କରାଯିବ ନାହିଁ।

ପୂର୍ବର ଦୁଇଟି ଡେଡ୍‌ଲାଇନ୍‌ ମିସ୍‌ କରିବା ପରେ ଆଜି କର୍ଣ୍ଣାଟକ ବିଧାନସଭାରେ ଫ୍ଲୋର୍‌ ଟେଷ୍ଟ୍‍ କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛି। ବାଚସ୍ପତି କେଆର୍‌ ରମେଶ କୁମାର କହିଛନ୍ତି କି, ଆଜି ଗୃହରେ ଆସ୍ଥାଭୋଟ୍‌ ଶେଷ ହେବ।  ଏହାଛଡ଼ା ଆସନ୍ତାକାଲି (ଜୁଲାଇ ୨୩) ଦିନ ୧୧ଟାରେ ତାଙ୍କୁ ଭେଟିବାକୁ ବିଦ୍ରୋହୀ ବିଧାୟକମାନଙ୍କୁ ସେ ସମନ୍‌ କରିଛନ୍ତି।  କୁମାରସ୍ୱାମୀ ସରକାର ବିତର୍କ ଏବଂ ଗୃହର ସମସ୍ତ ବିଧାୟକଙ୍କ ଭାଷଣ ଉପରେ ଗୁରୁତ୍ୱାରୋପ କରୁଥିବା ବେଳେ ବିରୋଧୀ ବିଜେପି ତୁରନ୍ତ ଆସ୍ଥାଭୋଟ୍‌ କରାଇବାକୁ ଦାବି କରୁଛି।

By amfnews

Related Post