Thu. Oct 15th, 2026

ଫୁଟ୍‌ବଲ୍‌ ପଡ଼ିଆରେ ଦୁର୍ଘଟନାଗ୍ରସ୍ତ ବିମାନ ଖସିପଡ଼ିବାରୁ ୪ ମୃତ

326 Views

ଆଟ୍‌ଲାଣ୍ଟା, ଡିସେମ୍ବର ୨୧ : ଗୁରୁବାର ଦିନ ଟେନିସି ଅଭିମୁଖେ ଯାଉଥିବା ଏକ ଜେଟ୍‌ ବିମାନ ଦୁର୍ଘଟନାଗ୍ରସ୍ତ ହୋଇ ଯୁକ୍ତରାଷ୍ଟ୍ର ଆମେରିକାର ଆଟ୍‌ଲାଣ୍ଟା ପାର୍କ ଅଞ୍ଚଳର ଗୋଟିଏ ଫୁଟ୍‌ବଲ୍‌ ପଡ଼ିଆରେ ଖସିପଡ଼ିବାରୁ ବିମାନରେ ଥିବା ଚାରିଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ଖେଳପଡ଼ିଆ ପଛପଟେ ଥିବା ଗୋଟିଏ ଘର ମଧ୍ୟ ଏଥିଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ, ପଡ଼ିଆରେ କେହି ଆହତ ହୋଇଥିବା ଖବର ମିଳିନାହିଁ। ଫୁଟ୍‌ବଲ୍‌ ପଡ଼ିଆରେ ପଡ଼ି ଜଳୁଥିବା ବିମାନରୁ ନିଆଁ ଲିଭାଇବାକୁ ଆଟ୍‌ଲାଣ୍ଟା ଫାୟାର୍‌ ରେସ୍କ୍ୟୁ ବାହିନୀ ଘଟନାସ୍ଥଳରେ ପହଞ୍ଚିଥିଲା।

ପଡ଼ିଆ ସାରା ପ୍ରାୟ ୯୦ ମିଟର ପରିମିତ ଅଞ୍ଚଳରେ ବିମାନର ଭଗ୍ନଂଶଗୁଡ଼ିକ ବିଛାଡ଼ି ହୋଇ ପଡ଼ିଥିଲା। ବିମାନଟି ମିଲିଙ୍ଗ୍‌ଟନ୍‌-ମେମ୍ଫିସ୍‌ ବିମାନ ବନ୍ଦରକୁ ଯାଉଥିବା ବେଳେ ଖସି ପଡ଼ିଥିବା କଥା ଏୟାର୍‌ପୋର୍ଟ ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର୍‌ ରୟ ରେମିଙ୍ଗ୍‌ଟନ୍‌ କହିଛନ୍ତି।

ଫେଡେରାଲ୍‌ ଆଭିଏସନ୍‌ ଆଡ୍‌ମିନିଷ୍ଟ୍ରାସନ୍‌ ଠାରୁ ପ୍ରାପ୍ତ ପ୍ରାଥମିକ ସୂଚନାରୁ ଜଣାପଡ଼ିଥିଲା ଯେ ସେ ବିମାନରେ ୩ ଜଣ ବ୍ୟକ୍ତି ଥିଲେ, କିନ୍ତୁ ପରେ ଜଣାପଡ଼ିଲା ପ୍ରକୃତରେ ସେଥିରେ ଥିଲେ ୪ ଜଣ ଲୋକ।

ମୃତ ବ୍ୟକ୍ତିମାନଙ୍କର ପରିଚୟ ଜାଣିବାକୁ ଦମକଳ ଅଧିକାରୀମାନେ ଉଦ୍ୟମ ଚଳାଇଛନ୍ତି। ବିମାନର ଅଧିକାଂଶ ପୋଡ଼ି ନଷ୍ଟ ହୋଇଯାଇଛି। କେବଳ ଲାଞ୍ଜଟି ଭଲ ଅଛି। ଦୁର୍ଘଟନାର କାରଣ ଜାଣିବା ନିମନ୍ତେ ନେସ୍‌ନାଲ୍‌ ଟ୍ରାନ୍‌ସ୍‌ପୋର୍ଟେସନ୍‌ ସେଫ୍‌ଟି ବୋର୍ଡ ତଦନ୍ତ ଆରମ୍ଭ କରିଛି।

By amfnews

Related Post