Sat. May 16th, 2026

ପ୍ରେମିକ ମୁହଁରେ ଏସିଡ୍ ଢାଳି ଦେଲା ପ୍ରେମିକା

183 Views

ନୂଆଦିଲ୍ଲୀ : ପ୍ରେମିକ ବାହା ହେବାକୁ ମନା କରି ଦେବାରୁ ପ୍ରେମିକା ତାଙ୍କ ଉପରେ ଏସିଡ୍ ଢାଳି ଦେଲେ। ଏ ଘଟଣାଟି ଘଟିଛି ନୂଆଦିଲ୍ଲୀର ବିକାଶପୁରି ଅଞ୍ଚଳରେ।

ସୂଚନା ଅନୁଯାୟୀ, ଉଭୟ ପ୍ରେମିକ ଓ ପ୍ରେମିକା ବାଇକ୍‌ରେ ଯାଉଥିବା ବେଳେ ଏ ଘଟଣା ଘଟିଥିଲା। ପଛରେ ବସିଥିବା ପ୍ରେମିକା ହେଲ୍‌ମେଟ୍ ଖୋଲିବାକୁ ପ୍ରେମିକଙ୍କୁ କହିଥିଲେ। ସେ ତାଙ୍କ ମୁହଁକୁ ଭଲ ଭାବେ ସ୍ପର୍ଶ କରିପାରୁ ନଥିବା କହି ହେଲ୍‌ମେଟ୍ ଖୋଲିବାକୁ କହିଥିଲେ। ପ୍ରେମିକ ହେଲ୍‌ମେଟ୍ ଖୋଲିବା ପରେ ପ୍ରେମିକା ତାଙ୍କ ଉପରେ ଏସିଡ୍ ଢାଳି ଦେଇଥିଲେ।

ଜୁନ ୧୧ ତାରିଖରେ ଏହି ଘଟଣା ଘଟିଥିଲା। ଏଥିରେ ଉଭୟ ପ୍ରେମିକ ଓ ପ୍ରେମିକା ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌କୁ କୁହାଯାଇଥିଲା ଯେ ଜଣେ ଯୁବକ ଓ ଯୁବତୀଙ୍କ ଉପରେ ଏସିଡ୍ ମାଡ଼ ହୋଇଛି। ଖବର ପାଇ ପୁଲିସ୍ ହସ୍‌ପିଟାଲ୍‌ରେ ପହଞ୍ଚିଥିଲା। ଏସିଡ୍ ପଡ଼ି ଯୁବତୀ ଜଣଙ୍କ ସାମାନ୍ୟ ଆହତ ହୋଇଥିବା ବେଳେ ଯୁବକ ଜଣଙ୍କ ଗୁରୁତର ଭାବେ ପୋଡ଼ି ହୋଇଛନ୍ତି। ତାଙ୍କ ମୁହଁ, ବେକ ଓ ଛାତି ପୋଡ଼ି ଯାଇଛି। କିଛି ଦିନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇପାରିଲାନି ଯେ ସେମାନଙ୍କ ଉପରେ କିଏ ଏସିଡ୍ ଢାଳିଲା।

ଯୁବତୀ ଜଣଙ୍କ ପୁଲିସ୍‌କୁ ମିଛ କହିଥିଲେ। ସେ କହିଥିଲେ ଯେ, ସେମାନେ ବାଇକ୍‌ରେ ଯାଉଥିବା ବେଳେ କେହି ଦୁର୍ବୃତ୍ତ ସେମାନଙ୍କ ଉପରେ ଏସିଡ୍ ଢାଳି ଦେଇଥିଲେ। ତେବେ ଯୁବକ ଜଣଙ୍କ କହିଥିଲେ ଯେ ତାଙ୍କ ପ୍ରେମିକା ହିଁ ତାଙ୍କୁ ହେଲ୍‌ମେଟ୍ ଖୋଲିବାକୁ କହିଥିଲେ। ଏହା ପରେ ଯୁବତୀଙ୍କ ଉପରେ ପୁଲିସ୍‌ର ସନ୍ଦେହ ବଢ଼ିଲା। ସେମାନେ ତାଙ୍କୁ ପଚରାଉଚରା କଲା ପରେ ସତ କଥା ପଦାକୁ ଆସିଥିଲା। ପୁଲିସ୍ ତାଙ୍କୁ ଗିରଫ କରିଛି ଓ ଅଧିକ ତଦନ୍ତ କରୁଛି।

ପୁଲିସ୍ କହିଛି,“ଏ ଦୁଇ ଜଣ ୩ ବର୍ଷ ହେଲା ରିଲେସନ୍‌ସିପ୍‌ରେ ଥିଲେ। ନିକଟରେ ଯୁବକ ଜଣଙ୍କ ସଂପର୍କ ଶେଷ କରି ଦେବାକୁ ପ୍ରସ୍ତାବ ଦେଇଥିଲେ। ଯୁବତୀ ଜଣଙ୍କ ତାଙ୍କୁ ବାହା ହେବାକୁ ଜିଦ୍ ଧରି ଥିବା ବେଳେ ଯୁବକ ଜଣଙ୍କ ସେଥିପାଇଁ ରାଜି ନଥିଲେ।”

By amfnews

Related Post