Fri. May 15th, 2026

ପ୍ରସୂତିଙ୍କ ମୃତ୍ୟୁକୁ ନେଇ ନର୍ସିଂହୋମରେ ଉତ୍ତେଜନା

323 Views

ସୋର : ବାଲେଶ୍ୱର ଜିଲ୍ଲା ସୋରରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଗତକାଲି ଉତ୍ତେଜନା ପ୍ରକାଶ ପାଇଥିଲା । ମୃତକଙ୍କ ପରିବାର ଲୋକେ ଶବକୁ ରଖି କ୍ଷତିପୂରଣ ଦାବିରେ ହୋହାଲ୍ଲା କରିଥିଲେ।

ସୂଚନାଅନୁସାରେ, ଔପଦା ବ୍ଲକ୍‌ ବାଙ୍ଗୁରୁ ଗାଁର  ତାପସ ଭୂୟାଁଙ୍କ ସ୍ତ୍ରୀ  ନମିତା ଭୂୟାଁ (୨୫) ପ୍ରସବ ପାଇଁ ଗତକାଲି ସୋର ଡାକ୍ତରଖାନାରେ ଭର୍ତ୍ତି  ହୋଇଥିଲେ।   ସେଠାରେ  ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ନିକଟରେ ଥିବା ନର୍ସିଂହୋମରେ ତାଙ୍କୁ ଭର୍ତ୍ତି କରିଥିଲେ। ସେଠାରେ ସେ ଏକ କନ୍ୟାସନ୍ତାନ ଜନ୍ମ ଦେଇଥିଲେ।

ମାତ୍ର ସ୍ୱାସ୍ଥ୍ୟାବସ୍ଥା ନ ସୁଧୁରିବାରୁ ତାଙ୍କୁ କଟକ ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଭୁଲ ଅପରେସନ୍‌ ଯୋଗୁ ନମିତାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣି ପରିବାର ଲୋକେ ବିଳମ୍ୱିତ ରାତିରେ ମୃତଦେହକୁ  ନର୍ସିଂହୋମ୍‌ ଆଗରେ ରଖି ଧାରଣାରେ ବସିଥିଲେ। ଏଥିସହ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ଖବର ପାଇ ପୁଲିସ୍‌ ଓ ନର୍ସିଂହୋମ କର୍ତ୍ତୃପକ୍ଷ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ନବଜାତ ଶିଶୁକନ୍ୟାଟି ସୁସ୍ଥ ଥିବା ଜଣାପଡ଼ିଛି।

By amfnews

Related Post