Tue. Oct 6th, 2026

ପୁଲିସ୍‌ ଗୁଳିରେ ଭେଲୁ ଓ ମିତୁନା ଆହତ

213 Views

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଅଙ୍ଗୁଳାଇ ରାସ୍ତାର କଳାପୋଲ ନିକଟରେ ପୁଲିସ୍ ଏନକାଉଣ୍ଟର୍‌ରେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ଅନନ୍ତ ପ୍ରସାଦ ଜେନା ଓରଫ ଭେଲୁ ଏବଂ ପ୍ରଭାତ କୁମାର ନାୟକ ଓରଫ ମିତୁନା। ସେମାନଙ୍କ ନିକଟରୁ ବନ୍ଧୁକ, ବାଇକ୍‌ ଓ ମୋବାଇଲ୍‌ ଜବତ କରାଯାଇଛି।

ଭେଲୁର ଦୁଇଟି ଯାକ ଗୋଡ଼ରେ ଗୁଳି ବାଜିଥିବା ବେଳେ ମିତୁନାର ଗୋଟିଏ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

               ଭେଲୁ   

ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଭେଲୁ ଓ ମିତୁନା ଅଙ୍ଗୁଳାଇ ରାସ୍ତାରେ ଯାଉଥିବା ନେଇ ପୁଲିସ୍ ଖବର ପାଇଥିଲା। ପୁଲିସ୍ ସେଠାରେ ପହଞ୍ଚି ତାକୁ ଧରିବାକୁ ଉଦ୍ୟମ କରିଥିଲା। ତେବେ ଭେଲୁ ପୁଲିସ୍‌ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଖସି ଯିବାକୁ ପ୍ରୟାସ କରିଥିଲା। ପୁଲିସ୍ ଏହାର ଜବାବ ଦେଇଥିଲା। ପୁଲିସ୍ ତା’ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଗୁଳି ବାଜିବାରୁ ଭେଲୁ ତଳେ ପଡ଼ି ଯାଇଥିଲା। ଏହି ସମୟରେ ମିତୁନା ଖସି ଯିବାକୁ ପ୍ରୟାସ କରିଥିଲା। ପୁଲିସ୍ ମଧ୍ୟ ତା’ ଉପରେ ଗୁଳି ଚଳାଇଥିଲା। ତା’ ଗୋଡ଼ରେ ବି ଗୁଳି ବାଜିଥିଲା।

 

          ମିତୁନା   

ଭେଲୁ ଓ ମିତୁନା ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି। ଗତ ୧୮ ତାରିଖରେ ହାତିଆ ରାସ୍ତାରେ ଜଣେ ମେଡିସିନ୍ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଭେଲୁ ଓ ମିତୁନା ଏହି ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ବୋଲି କୁହାଯାଉଛି।

By amfnews

Related Post