Sun. Jul 5th, 2026

ପୁରୀରେ ସୌନ୍ଦର୍ଯ୍ୟକରଣକୁ ସ୍ୱତନ୍ତ୍ର ଧ୍ୟାନ, ଡ୍ରେନେଜକୁ ନାହିଁ ନଜର

183 Views

ପୁରୀ : ପୁରୀର ସୌନ୍ଦର୍ଯ୍ୟକରଣ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ପୁରୀ ଆଖପାଖ ପରିବେଶ ଯେପରି ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମନକୁ ଛୁଇଁବ ସେଥିଲାଗି ଦିଆଯାଉଛି ସ୍ୱତନ୍ତ୍ର ଧ୍ୟାନ। କିନ୍ତୁ ଏତେ ସବୁ ପଦକ୍ଷେପ ସତ୍ତ୍ୱେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଏଠାରେ ଫେଲ୍‌ ମାରିଛି। ବହୁ ସମୟରେ  ବଡଦାଣ୍ଡରେ ଭାସୁଛି ଡ୍ରେନ୍‌ ପାଣି। ଯାହାକି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷର କାରଣ ସାଜୁଛି।

ସାଧାରଣତଃ ବଡ଼ଦାଣ୍ଡରେ ଭକ୍ତମାନେ ପାଦ ଦୋଇ ମନ୍ଦିରରେ ପ୍ରବେଶ କରିବାର ନିୟମ ରହିଛି। କିନ୍ତୁ ଏବେ ସ୍ୱଚ୍ଛ ପାଣି ପରିବର୍ତ୍ତେ ନଳାପାଣିରେ ଧୋଇ ହୋଇଯାଉଛି ସେମାନଙ୍କ ପାଦ। ଅନିଚ୍ଛା ସତ୍ତ୍ୱେ ଭଗବାନଙ୍କୁ ଦର୍ଶନ କରିବାକୁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ଏପରି ପରିବେଶରେ ଗୋଡ଼ ଧୋଇବାକୁ ବାଧ୍ୟ ହେଉଛନ୍ତି। ଆଜି ସକାଳୁ ଏଭଳି ଘଟଣା ଯୋଗୁ ଭକ୍ତଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।

ପୂର୍ବ ଦକ୍ଷିଣ କୋଣରେ ଥିବା କାକୁଡିଖାଇଙ୍କ ପୀଠ ନିକଟରେ ଓଭରଫ୍ଲୋ କରି ନଳାପାଣି ବଡଦାଣ୍ଡରେ ଭାସୁଥିବା ଦେଖାଯାଇଛି। ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ନାମରେ କୋଟିକୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ବଡଦାଣ୍ଡରେ ଡ୍ରେନେଜ ବ୍ୟବସ୍ଥାର ସୁଧାର ଲାଗି କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି। ତେବେ କେବଳ ଆଜି ନୁହେଁ ବିଭିନ୍ନ ସମୟରେ ରଥ ମଧ୍ୟ ନଳାପାଣିରେ ଗଢିଥିବା ନଜିର ରହିଛି ।

By amfnews

Related Post