Sat. Apr 25th, 2026

ପି ଚିଦମ୍ବରମଙ୍କୁ ପୁଣି ଝଟକା ଦେଲେ ସର୍ବୋଚ୍ଚ ନ୍ୟାୟାଳୟ, ଆଗୁଆ ଜାମିନ୍ ଆବେଦନ ଖାରଜ କରିଲେ

231 Views

ନୂଆଦିଲ୍ଲୀ  : ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ହାତରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମଙ୍କୁ ପୁଣି ଝଟକା ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପି. ଚିଦମ୍ବରମଙ୍କ ଆଗୁଆ ଜାମିନ୍ ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଆଦେଶରେ କହିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପି. ଚିଦମ୍ବରମଙ୍କୁ ଗିରଫ କରିବାକୁ ମୁକ୍ତ।

ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ପି. ଚିଦମ୍ବରମଙ୍କୁ ଗିରଫ କରିପାରେ ବୋଲି କୁହାଯାଉଛି।ଏହାପରେ ପି. ଚିଦମ୍ବରମ ଟ୍ରାଏଲ କୋର୍ଟରେ ଜାମିନ ଆବେଦନ କରିପାରନ୍ତି ବୋଲି କୁହାଯାଉଛି। ଅଦାଲତରେ ଚିଦମ୍ବରମଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଗତ ମଙ୍ଗଳବାର ଦିନ ଦିଲ୍ଲୀର ଏକ ତଳ କୋର୍ଟ ଆଇଏନ୍ଏକ୍ସ ମିଡିଆ କେସରେ ସିବିଆଇ ରିମାଣ୍ଡ ଅବଧିକୁ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ । କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ସେପ୍ଟେମ୍ବର ୫ ତାରିଖ ଯାଏଁ ହେପାଜତରେ ନେବାକୁ ସିବିଆଇ ଆଦେଶ ଦେଇଥିଲେ । ଏ ନେଇ ସଲିସିଟର୍ ଜେନାରାଲ ତୁଷାର ମେହେତା ଓ ଚିଦାମ୍ବରମଙ୍କ ଓକିଲ ନ୍ୟାୟାଧୀଶଙ୍କୁ ଉଚ୍ଚତମ ନ୍ୟାୟାଳୟ ଦେଇଥିବା ଆଦେଶକୁ ଅବଗତ କରାଇଥିଲେ ।

ସର୍ବୋଚ୍ଚ ନ୍ୟାୟାଳୟ ଗୋଟିଏ ଦିନରେ ଦୁଇଟି ଆଦେଶ ଦେଇଥିଲେ ଯେ ତାଙ୍କୁ ଗୁରୁବାର ପର୍ଯ୍ୟନ୍ତ ସିବିଆଇ ନିଜ ହେପାଜତରେ ରଖିପାରିବ । ଏହା ପରେ ମାମଲାର ଶୁଣାଣି କରୁଥିବା ବିଚାରପତି ଅଜୟ କୁମାର ଗୁରୁବାର ଯାଏଁ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।  ଦିଲ୍ଲୀ ହାଇକୋର୍ଟ ଚିଦମ୍ବରମଙ୍କ ଆଗୁଆ ଜାମିନ ଖାରଜ କରିବା ପରେ ସିବିଆଇ ଚିଦମ୍ବରମଙ୍କୁ  ଗିରଫ କରିଥିଲା ।

By amfnews

Related Post