Sat. Oct 10th, 2026

ପାର୍ଲାମେଣ୍ଟ୍‌ର ଡିଫେନ୍‌ସ୍‌ ପାନେଲରୁ ବିଦା ହେଲେ ପ୍ରଜ୍ଞା ଠାକୁର

225 Views

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ କାରଣରୁ ବିବାଦୀୟ ସାଂସଦ ପ୍ରଜ୍ଞା ଠାକୁରଙ୍କୁ ଭାରତୀୟ ଜନତା ପାର୍ଟି ନିନ୍ଦା କରିବା ସହ ସଂସଦୀୟ ସୁରକ୍ଷା ପାନେଲରୁ ବାଦ ଦିଆଯାଇଛି। ଏଥିସହ ଶୀତକାଳୀନ ଅଧିବେଶନର ବାକି ଦିନରେ ହେବାକୁ ଥିବା ସାଂସଦମାନଙ୍କର ନିୟମିତ ବୈଠକରେ ଯୋଗ ଦେବାକୁ ତାଙ୍କୁ ବାରଣ କରାଯାଇଛି ବୋଲି ବିଜେପିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି।

ସଂସଦୀୟ ପ୍ରତିରକ୍ଷା ପାନେଲ୍‌ରୁ ବାଦ ଦିଆଯାଇଥିବା ପ୍ରଜ୍ଞା ଗତକାଲି ଲୋକସଭା ପ୍ରୋସିଡିଙ୍ଗ୍‌ ଚାଲିଥିବା ବେଳେ ନାଥୁରାମ ଗଡ଼ସେଙ୍କୁ ଜଣେ ଦେଶପ୍ରେମୀ ବୋଲି କହିଥିଲେ।

ଗୁରୁବାର ସକାଳେ ବିଜେପିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଗଣମାଧ୍ୟମକୁ କହିଛନ୍ତି: ଗତକାଲି ପାର୍ଲାମେଣ୍ଟ୍‌ରେ ତାଙ୍କର ମନ୍ତବ୍ୟ ଥିଲା ନିନ୍ଦନୀୟ। ବିଜେପି କଦାପି ଏ ଭଳି ମନ୍ତବ୍ୟ କିଂବା ଆଦର୍ଶବାଦକୁ ସମର୍ଥନ କରେନାହିଁ।

ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ବିଜେପି ପାର୍ଲାମେଣ୍ଟାରି କମିଟି ତାଙ୍କୁ ଦଳରୁ ବହିଷ୍କାର କରିବାର ସମ୍ଭାବନା ରହିଛି। ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଭୋପାଳର ଲୋକସଭା ସଦସ୍ୟ ଅଛନ୍ତି।

By amfnews

Related Post