Sun. Sep 20th, 2026
322 Views

ଭଦ୍ରକ: ଭଦ୍ରକ ଜିଲ୍ଲାର ଧୁଷୁରୀ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଧୁଷୁରୀ ଥାନାର କାଶିମପୁର ଗାଁ ପାଖ ବିଲ ମଧ୍ୟରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାରିବାରିକ କଳହରୁ ବୃଦ୍ଧା ମା’କୁ ସାନପୁଅ ହତ୍ୟା କରିବା ପରେ ବିଲରେ ଫିଙ୍ଗି ଦେଇଥିବା ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଧୁଷୁରୀ ଥାନାର କାଶିମପୁର ଗାଁର ଅନାଦି ଜେନାଙ୍କ ଘରେ ନିୟମିତ ଭାବେ ପାରିବାରିକ କଳହ ଲାଗିଥାଏ। ଗତ ୨୮ ତାରିଖ ଦିନ ସେହି ପରିବାରରେ ଅନାଦି ଜେନାଙ୍କ ପତ୍ନୀ ମାତାଜୀ ଜେନା(୬୦)ଙ୍କର ସାନପୁଅ ନିରଞ୍ଜନ ସହ ପ୍ରବଳ ପାଟିତୁଣ୍ଡ ହୋଇଥିଲା।

ଏହାପରେ ମାତାଜୀ ରାଗିଯାଇ ନିଜ ବାପ ଘରକୁ ବାହାରିଥିଲେ। ହେଲେ, ମାତାଜୀଙ୍କୁ ବାଟରେ ସାନପୁଅ ନିରଞ୍ଜନ ହତ୍ୟା କରିଥିଲା। ଏହାପରେ ସେ ବିଲରେ ଫୋପାଡ଼ି ଦେଇଥିଲା। ଏନେଇ ଅନାଦି ଜେନା ଧୁଷୁରୀ ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ୍ ସାନପୁଅ ନିରଞ୍ଜନକୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା।

ଆଜି ତାକୁ ଗିରଫ କରାଯାଇଥିବା ନେଇ ଧୁଷୁରୀ ଥାନା ଆଇଆଇସି ସୂଚନା ଦେଇଛନ୍ତି। ଅଭିଯୁକ୍ତ ନିରଞ୍ଜନ ନିଜର ଦୋଷ ସ୍ବୀକାର କରିଥିବା ସେ କହିଛନ୍ତି।

By amfnews

Related Post