Wed. Jun 10th, 2026

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀ, ଝିଅକୁ ମାରି ସ୍ବାମୀର ଆତ୍ମହତ୍ୟା

297 Views

ଗଡ଼ପୋଷ  : ବିବାହର ତିନି ବର୍ଷ ପୂରିନି। ହେଲେ ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ କଳହ ଓ ମନାନ୍ତର ୩ ଜଣଙ୍କ ଜୀବନ ନେଇଛି। ସ୍ତ୍ରୀକୁ ହତ୍ୟା ପରେ ନିଜର ଦୁଇ ବର୍ଷର ନିଷ୍ପାପ କନ୍ୟାକୁ ମଧ୍ୟ ହତ୍ୟା କରିବାକୁ ପଛାଇ ନାହିଁ। ପରେ ନିଜେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ରାଉରକେଲା ସେକ୍ଟର-୧ କ୍ବାର୍ଟର୍ସ ନମ୍ବର: ସି-୧୦୧ରେ ରହୁଥିବା ପ୍ରତାପ ଚନ୍ଦ୍ର ଭଞ୍ଜଙ୍କ ପୁଅ ସୁକରାଜିତ ଭଞ୍ଜଦେଓ(୩୪) ସ୍ତ୍ରୀ ସୁମତୀ ଓ ଝିଅ ଏଲିନା ସହ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ସିପ୍‌ୟାର୍ଡ ଲେଆଉଟ ଅଞ୍ଚଳରେ ଜାହ୍ନବୀ ଏନକ୍ଲେଭ୍‌ର ପ୍ଲଟ ନମ୍ବର ୧୦୧ରେ ରହୁଥିଲେ। ସୁକରାଜିତ ବିଶାଖାପାଟଣାର ଭାରତୀୟ ଖାଦ୍ୟ ନିଗମରେ ମ୍ୟାନେଜର ପଦରେ କାର୍ଯ୍ୟ କରୁଥିଲେ। ତେବେ ବିବାହ ପରେ ବିଭିନ୍ନ ସମୟରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଶୁକ୍ରବାର ଦିନ ସୁକରାଜିତ ସ୍ତ୍ରୀ ସୁମତୀ ଓ ଝିଅ ଏଲିନାକୁ ହତ୍ୟା କରିଥିଲେ। ପରେ ମାନସିକ ଭାରସାମ୍ୟ ହରାଇ କୌଣସି ଟ୍ରେନ୍‌ରେ ଘରକୁ ଫେରୁଥିଲେ।

ମାତ୍ର ରାଉରକେଲାକୁ ନ ଯାଇ ବାମରାରେ ଅଟକି ଯାଇଥିଲେ। ସେଠାରେ ସେ ତାଙ୍କ ବାପାଙ୍କୁ ଫୋନ୍‌ ଯୋଗେ ଘଟଣା ସମ୍ପର୍କରେ କହି ନିଜେ ଆତ୍ମହତ୍ୟା କରୁଥିବା ଦର୍ଶାଇଥିଲେ। ପ୍ରତାପ ଚନ୍ଦ୍ର ତୁରନ୍ତ ରାଉରକେଲା ଜିଆର୍‌ପି ସହ ସମ୍ପର୍କ କରିଥିଲେ। ଜିଆରପି ବାମରା ଜିଆର୍‌ପିକୁ ଯୋଗାଯୋଗ କରିବା ବେଳକୁ ସକରାଜିତ ହାୱଡ଼ା-ଏଲଟିଟିଇ ସୁପରଫାଷ୍ଟ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରି ଦେଇଥିଲେ। ଟ୍ରେନ୍‌ ଡ୍ରାଇଭର୍‌ଠାରୁ ଖବର ପାଇ ବାମରା ଜିଆର୍‌ପି ଘଟଣାସ୍ଥଳକୁ ଯାଇଥିଲେ। ଘଟଣାସ୍ଥଳ ରାଜଗାଙ୍ଗପୁର ଜିଆର୍‌ପି ଅଧୀନରେ ଥିବାରୁ ପରେ ଜିଆର୍‌ପି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନେଇଥିଲା। ପରେ ପରିବାର ଲୋକ ଫୋନ୍‌ ଯୋଗେ ବିଶାଖାପାଟଣାରେ ଥିବା ଜଣେ ପରିଚିତଙ୍କୁ ଘଟଣାର ସତ୍ୟତା ଜାଣିବା ପାଇଁ ସମ୍ପର୍କ କରିଥିଲେ। ବ୍ୟକ୍ତି ଜଣଙ୍କ ପିଏମ୍‌ ପାଲେମ ପୁଲିସକୁ ଏ ସମ୍ପର୍କରେ ଖବର ଦେଇଥିଲେ। ପୁଲିସ ତାଲା ଭାଙ୍ଗି ଭିତରକୁ ପଶିବା ମାତ୍ରେ ମା’ ଓ ଝିଅଙ୍କ ଶବ ପଡ଼ିଥିବା ଦେଖିଥିଲେ। ଉଭୟଙ୍କ ଶବ ରୋଷେଇ ଘରେ ପଡ଼ିଥିଲା। ପିଏମ୍‌ ପାଲେମ୍‌ ପୁଲିସ ସର୍କଲର ଇନ୍ସପେକ୍ଟର ଏ ରବି କୁମାର ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ସୁମତୀଙ୍କ ଘର ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳ ବୋଲି ଜଣାପଡ଼ିଛି।

By amfnews

Related Post