Wed. Sep 30th, 2026

ପାକିସ୍ତାନ ଭଳି ପଡୋଶୀ ଭଗବାନ କାହାକୁ ନ ଦିଅନ୍ତୁ: ରାଜନାଥ

208 Views

ନୂଆଦିଲ୍ଲୀ: ପାକିସ୍ତାନର ନାମ ନ ନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଡା ସମାଲୋଚନା କରିଛନ୍ତି | ରାଜନାଥ କହିଛନ୍ତି ଯେ ‘ଆମର ପଡୋଶୀଙ୍କୁ ନେଇ ସବୁଠାରୁ ଅଧିକ ଆଶଙ୍କା ରହିଛି | ସମସ୍ୟା ହେଉଛି ଯେ ଆପଣ ବନ୍ଧୁ ବଦଳାଇପାରିବେ କିନ୍ତୁ ପଡୋଶୀ ଚୟନ କରିବା ଆମ ହାତରେ ନଥାଏ | ଆମ ପାଖରେ ଏଭଳି ଏକ ପଡୋଶୀ ରହିଛି ଭଗବାନ ସେଭଳି ପଡୋଶୀ କାହାକୁ ନଦିଅନ୍ତୁ’ | ଜମ୍ମୁ-କଶ୍ମୀର ସଂକ୍ରାନ୍ତ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏବେ ଆହୁରି ତିକ୍ତ ହୋଇଛି।

ଏଠାରେ ସୂଚନା ଥାଉ କି ଗତକାଲି ଇସଲାମାବାଦରେ ଥିବା ଭାରତୀୟ ହାଇକମିସନରଙ୍କୁ ପାକିସ୍ତାନ ବହିଷ୍କାର କରିବା ସହିତ ନୂଆଦିଲ୍ଲୀରୁ ଏହାର ହାଇକମିସନରଙ୍କୁ ପ୍ରତ୍ୟାହାର କରିନେବାକୁ ଘୋଷଣା କରିଛି। ଏହାସହିତ ଭାରତ ସହିତ ଦ୍ବିପାକ୍ଷିକ ବାଣିଜ୍ୟ କାରବାରକୁ ମଧ୍ୟ ବାତିଲ କରିଛି। ଭାରତର ୩୭୦ ଘୋଷଣାରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ନୂଆଦିଲ୍ଲୀ ସହ କୂଟନୈତିକ ସଂପର୍କ ସ୍ତରକୁ ଆହୁରି ହ୍ରାସ କରିବ।

ଇନଷ୍ଟିଚ୍ୟୁଟ ଫର ଡିଫେନ୍ସ ଷ୍ଟଡ଼ିଜ ଆଣ୍ଡ ଆନାଲିସିସର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି କଥା କହିଛନ୍ତି | ଏଠାରେ ସେ ଅବସର ନେଇଥିବା ସେନା କର୍ମଚାରୀଙ୍କୁ ଭେଟିଥିଲେ |

By amfnews

Related Post