Tue. Oct 6th, 2026

ପାକିସ୍ତାନ: ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲାଗି ୬୫ ଯାତ୍ରୀ ମୃତ, ୪୦ ଜଣ ଯାତ୍ରୀ ଆହତ

248 Views

ଲିଆକତ୍‌ପୁର: ଗୁରୁବାର ପ୍ରତ୍ୟୁଷରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ଲିଆକତ୍‌ପୁର ଅନ୍ତର୍ଗତ ରହିମ ୟାର୍‌ ଖାଁ ନିକଟରେ ଗୋଟାଏ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲାଗିଯିବାରୁ ଅନ୍ୟୂନ ୬୫ ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ୪୦ ଜଣ ଆହତ ହୋଇଥିବା କଥା ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି।

ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଯୋଗୁଁ ଟ୍ରେନ୍‌ରେ ନିଆଁ ଲାଗିଥିବା ଜଣାପଡ଼ିଛି। ଘଟଣାଟି ପାହାନ୍ତା ପୂର୍ବରୁ ଘଟିଛି। କରାଚିରୁ ଲାହୋର ଅଭିମୁଖେ ଯାତ୍ରା କରୁଥିବା କରାଚି-ରାଓ୍ଵଲପିଣ୍ଡି ତେଜ୍‌ଗାମ ଏକ୍ସପ୍ରେସ୍‌ର ୩ଟି ବଗିରେ ନିଆଁ ଲାଗିଯାଇଥିଲା।

ଏହି ତିନୋଟି ବଗିରେ ସମୁଦାୟ ୨୦୭ ଜଣ ଯାତ୍ରୀ ଥିଲେ। ନିଆଁରେ ପୋଡ଼ି ଦୁଇଟି ଇକୋନମି କ୍ଲାସ୍‌ ଏବଂ ଗୋଟିଏ ବିଜ୍‌ନେସ୍‌ କ୍ଲାସ୍‌ କ୍ୟାରେଜ୍‌ ନଷ୍ଟ ହୋଇଯାଇଛି। ସେଗୁଡ଼ିକୁ ଟ୍ରେନ୍‌ରୁ ଅଲଗା କରାଯାଇଛି।

ନିଆଁରୁ ଦାଉରୁ ରକ୍ଷା ପାଇବା ନିମନ୍ତେ ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ି ଅଧିକାଂଶ ଯାତ୍ରୀ ପ୍ରାଣ ହରାଇଛନ୍ତି।

ଆହତମାନଙ୍କୁ ଆଖପାଖର ଡାକ୍ତରଖାନାକୁ ନିଆ ଯାଇଛି।  ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆଗେଇ ଚାଲିଛି।

By amfnews

Related Post