Fri. Sep 11th, 2026

ପରଲୋକରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର, ରାଜ୍ୟରେ ତିନିଦିନିଆ ଶୋକ ପାଳନ

324 Views

ନୂଆଦିଲ୍ଲୀ  : ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ସୋମବାର ଦିନ ନୂଆଦିଲ୍ଲୀର ଏକ ଡାକ୍ତରଖାନାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜେଡି(ୟୁ) ନେତା ଜଗନ୍ନାଥ ମିଶ୍ରଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା।

ମିଶ୍ର ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ମଧ୍ୟ ଥିଲେ ରାଜ୍ୟର ଶେଷ କଂଗ୍ରେସ ମୁଖ୍ୟମନ୍ତ୍ରୀ। କେନ୍ଦ୍ରରେ ମଧ୍ୟ ସେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ। ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କ ଭାଇ ଲଳିତ ନାରାୟଣ ମିଶ୍ର କେନ୍ଦ୍ରରେ ରେଳବାଇ ମନ୍ତ୍ରୀ ହୋଇଥିଲେ। ରାଜନୀତିରେ ଯୋଗ ଦେବା ପୂର୍ବରୁ ମିଶ୍ର ବିହାର ବିଶ୍ୱ ବିଦ୍ୟାଳୟର ଜଣେ ଅର୍ଥନୀତି ଅଧ୍ୟାପକ ଥିଲେ। ସେ କେତେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ପରେ ସେ କଂଗ୍ରେସ ଛାଡ଼ି ଏନ୍‌ସିପି ଏବଂ ଜନତା ଦଳ (ୟୁ)ରେ ଯୋଗ ଦେଇଥିଲେ।

ବହୁ କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତିରେ ମଧ୍ୟ ସେ ଅଭିଯୁକ୍ତ ହୋଇଥିଲେ, କିନ୍ତୁ ନିକଟ ଅତୀତରେ ରାଞ୍ଚି ଅଦାଲତ ତାଙ୍କୁ ଦୋଷମୁକ୍ତ କରିଥିଲେ।
ତାଙ୍କ ପୁଅ ନୀତିଶ ମିଶ୍ର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟ୍‌ରେ ଜଣେ ମନ୍ତ୍ରୀ ଥିଲେ। ତାଙ୍କ ମୃତ୍ୟୁ ଯୋଗୁଁ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁଃଖ ପ୍ରକାଶ କରିଛନ୍ତି। ସରକାର ବିହାରରେ ତିନିଦିନିଆ ଶୋକ ପାଳନ ପାଇଁ ଘୋଷଣା କରିଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

By amfnews

Related Post