Mon. Aug 24th, 2026

ନେପାଳରେ ମୃତ ଦୁଇ ଓଡ଼ିଆ ତୀର୍ଥଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇଲେ ବୈଦେଶିକ ମନ୍ତ୍ରୀ

188 Views

ଭୁବନେଶ୍ୱର : ନେପାଳରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ତୀର୍ଥଯାତ୍ରୀଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର।

ବୈଦେଶିକ ମନ୍ତ୍ରୀ ଟ୍ୱିଟ୍‌ କରି ଲେଖିଛନ୍ତି,“ନେପାଳରେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରୀଯୁକ୍ତ ଜେନା ଓ ଶ୍ରୀଯୁକ୍ତ ବିଶ୍ୱାଳଙ୍କ ପରିବାରକୁ ମୁଁ ଗଭୀର ସମବେଦନା ଜଣାଉଛି। ଆମ କର୍ମଚାରୀମାନେ ହସ୍‌ପିଟାଲ୍‌ରେ ଅଛନ୍ତି ଓ ଆହତଙ୍କ ଚିକିତ୍ସା ଉପରେ ନଜର ରଖିଛନ୍ତି। ସେମାନଙ୍କ ପରିବାର ଲୋକଙ୍କୁ ସବୁପ୍ରକାର ସହାୟତା ଦିଆଯାଉଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟରେ ଉତ୍ତର ଦେଇ ଏହା କହିଛନ୍ତି ବୈଦେଶିକ ମନ୍ତ୍ରୀ। ଦୁଇ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତଦେହ ଓଡ଼ିଶା ଆଣିବା ଏବଂ ଅନ୍ୟ ଆହତଙ୍କୁ ଚିକିତ୍ସା ଯୋଗାଇ ଦେବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।ବସ୍‌ ଦୁର୍ଘଟଣାରେ ନେପାଳରେ ପ୍ରାଣ ହରାଇଥିବା ଦୁଇ ବ୍ୟକ୍ତି ହେଲେ ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ଅଞ୍ଚଳର ଚରଣ ବିଶ୍ୱାଳ ଏବଂ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଯମୁନା ଗାଁର ବିଜୟ କୁମାର ଜେନା। ଅନ୍ୟ ଦୁଇ ଓଡ଼ିଆ ତୀର୍ଥଯାତ୍ରୀ ସର୍ବେଶ୍ୱର ଜେନା ଏବଂ ସହଦେବ ଜେନାଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କାଠମାଣ୍ଡୁର ବିରଗୁଞ୍ଜ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଦେଶର ବିଭିନ୍ନ ସ୍ଥାନରୁ ତୀର୍ଥଯାତ୍ରୀଙ୍କୁ ନେଇ ନେପାଳ ଯାଇଥିବା ଏକ ବସ୍ ସେଠାକାର ରାଉତପୁରା ଜିଲ୍ଲାର ପଉରାଇ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଏକ ଟ୍ରକ୍‌ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାରୁ ପ୍ରାୟ ୨୦ ମିଟର ତଳକୁ ଖସି ପଡ଼ିଥିଲା।

By amfnews

Related Post