Sat. May 16th, 2026

ନିର୍ଭୟା ମାମଲା: ଆଜି ହିଁ ଦୋଷୀ ପବନ କୁମାରଙ୍କ ନାବାଳକ ଦାବି ଆବେଦନ ଶୁଶାଣି କରିବେ ଦିଲ୍ଲୀ ହାଇକୋର୍ଟ

151 Views

ନୂଆଦିଲ୍ଲୀ: ଅପରାଧ ଘଟାଇବା ସମୟରେ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ପବନ କୁମାର ଗୁପ୍ତ ନାବାଳକ ଥିଲେ ବୋଲି ତାଙ୍କ ଓକିଲ ଏ ପି ସିଂହ ଆବେଦନ କରିବାରୁ ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ତାଙ୍କ ଶୁଣାଣିକୁ ୨୦୨୦ ମସିହା ଜାନୁଆରି ୨୪ ତାରିଖ ଯାଏଁ ମୁଲତବୀ ରଖିଥିଲେ। କିନ୍ତୁ, ଅଦାଲତ ନିଜ ଆଦେଶକୁ ପ୍ରତ୍ୟାହାର କରିନେବା ସହ ଆଜି ହିଁ ଆବେଦନର ଶୁଣାଣି କରାଯିବା ବୋଲି ଘୋଷଣା କରିଛନ୍ତି। ଏବେ କୋର୍ଟ ମାଷ୍ଟର୍‌ ଓକିଲଙ୍କୁ ଡକାଇ ମାମଲାର ଶୁଣାଣି କରିବେ। ଅପରାଧ ତାରିଖ ୧୬ ଡିସେମ୍ବର ୨୦୧୨ ମସିହାରେ ପବନ ଗୁପ୍ତ ଥିଲେ କିଶୋର ଏବଂ ସେ ସଂକ୍ରାନ୍ତ ସଦ୍ୟ କାଗଜପତ୍ର ଦାଖଲ କରିବାକୁ ଓକିଲ ସମୟ ମାଗିଥିଲେ।

ଅପରାଧ ତାରିଖ ଦିନ ସେ ନାବାଳକ ଥିଲେ। ତେଣୁ ତାଙ୍କ ପ୍ରତି ‘ଜୁଭେନାଇଲ୍‌ ଜଷ୍ଟିସ୍‌’ ଆଇନ୍‌ ଅନୁଯାୟୀ ଦଣ୍ଡବିଧାନ ହେଉ ବୋଲି ଦାବି କରି ବୁଧବାର ଦିନ ପବନ କୁମାର ଗୁପ୍ତ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ବୟସ ଜାଣିବାକୁ ତଦନ୍ତକାରୀ ଅଧିକାରୀ ତାଙ୍କର ହାଡ଼ ପରୀକ୍ଷା କରାଇ ନ ଥିବାରୁ ଆଇନ ଅନୁସାରେ, ତାଙ୍କୁ ‘ବେନିଫିଟ୍‌ ଅଫ୍‌ ଡାଉଟ୍‌’ରେ ଛାଡ଼ କରାଯାଉ ବୋଲି ସେ ନିବେଦନ କରିଥିଲେ।

ସେ ନାବାଳକ ଥିଲେ କି, ନାହିଁ ସ୍ଥିର କରିବାକୁ ତାଙ୍କର ହାଡ଼ ପରୀକ୍ଷା ପାଇଁ ଆଦେଶ ଦିଆଯାଉ ବୋଲି ସେ ଆବେଦନ ପତ୍ରରେ ଉଲ୍ଲେଖ କରିଥିଲେ।

By amfnews

Related Post