Sun. Sep 13th, 2026

ନିରବ ମୋଦୀ ପାଖରେ ରହିଛି ଅତି କମରେ ୬ ଭାରତୀୟ ପାସପୋର୍ଟ, ସମୁଦ୍ର ମାର୍ଗରେ କରୁଛି ଦେଶ ଭ୍ରମଣ

389 Views

ନୂଆଦିଲ୍ଲୀ,ଜୁନ୧୭: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୪,୫୦୦  କୋଟିରୁ ଅଧିକ ଅର୍ଥ ଚଳୁ କରି ଦେଶରୁ ଫେରାର ମାରିଥିବା ହୀରା ବ୍ୟବସାୟୀ ନିରବ ମୋଦୀ ପାଖରେ ରହିଛି ପ୍ରାୟ ୬ଟି ଭାରତୀୟ ପାସପୋର୍ଟ। ଯାଞ୍ଚ ଏଜେନ୍ସି ହାତରେ ଲାଗିଛି ଏହି ଖବର।  ଏଥିପାଇଁ ଏହି ମାମଲାରେ ଏବେ ନୂତନ ଏଫଆଇଆର ପାଇଁ ଏଜେନ୍ସି ପ୍ରସ୍ତୁତି କରୁଛି। ଭାରତୀୟ ଏଜେନ୍ସି ଜାଣିବାକୁ ପାଇଥିଲେ ଯେ ନିରବ ବେଲଜିୟମରେ ରହିଛି। ସେଠାରେ ତାର ପାସପୋର୍ଟ ରଦ୍ଦ କରାଯାଇଥିଲା। ଏହା ପରେ ମଧ୍ୟ ତାର ଯାତ୍ରା ଜାରି ରହିଛି। ଏବେ ତା ପାଖରେ ୬ ପାସପୋର୍ଟ ଥିବା ଜଣା ପଡିଛି। ଏଥିରୁ ୨ ପାସପୋର୍ଟର ବୈଧତା କିଛି ସମୟ ପାଇଁ ଥିଲା। ମାତ୍ର ବାକି ୪ଟି ପାସପୋର୍ଟର ଅବଧି ଶେଷ ହୋଇ ସାରିଛି।

ଗୋଟିଏ ପାସପୋର୍ଟରେ ନିରବ ମୋଦୀର ପୁରା ନାମ ରହିଥିବା ବେଳେ ଦ୍ଵିତୀୟଟିରେ କେବଳ ପ୍ରଥମ ନାମ ରହିଛି। ଦ୍ଵିତୀୟଟିରେ ୪୦ ମାସ ପାଇଁ ୟୁକେର ଭିସା ମଧ୍ୟ ଜାରି କରାଯାଇଛି। ପ୍ରଶ୍ନ ଉଠୁଛି ଯେ ସରକାର ଦ୍ଵାରା ଚଳିତ ବର୍ଷ ପାସପୋର୍ଟ ରଦ୍ଦ କରାଯିବା ପରେ ମଧ୍ୟ ନିରବ ମୋଦୀ ଗୋଟିଏ ଦେଶରୁ ଅନ୍ୟ ଦେଶକୁ କେମିତି ଚକ୍କର ମାରୁଛି। ଏହା ପରେ ତାର ଦ୍ଵିତୀୟ ପାସପୋର୍ଟ ମଧ୍ୟ ରଦ୍ଦ କରାଯାଇଥିଲା। ଏହା  ପରେ ବୈଦେଶିକ ମନ୍ତ୍ରଣାଳୟ ଇଣ୍ଟରପୋଲ ପାସପୋର୍ଟ ରଦ୍ଦ କରିବାର ସୂଚନା ଦେଇଥିଲା। ମାତ୍ର କୁହାଯାଉଛି ଯେ ଭିନ୍ନ ଭିନ୍ନ ଦେଶରେ ସମାନ ଆଇନ ବ୍ୟବସ୍ଥା ନଥିବା କାରଣରୁ ନିରବର ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇ ପାରି ନାହିଁ। ଏବେ ସେ ସମୁଦ୍ର ମାର୍ଗରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରୁଛି।

ଇଣ୍ଟରପୋଲଠୁ ନିରବ ମୋଦୀର ଗିରଫଦାରୀ ପାଇଁ ଦାବି କରାଯାଇଥିବା ଯାଞ୍ଚ  ଏଜେନ୍ସିର ଦରଖାସ୍ତରରେ ପାସପୋର୍ଟ ରଦ୍ଦ କରାଯାଇଥିବା ଆଦେଶର କପି ମଧ୍ୟ ଲଗାଯାଇଛି। ଜଣେ  ବରିଷ୍ଠ ଅଧିକାରୀ କହିଛନ୍ତି ଯେ  ଏକରୁ ଅଧିକ ପାସପୋର୍ଟ ବ୍ୟବହାର କରିବା ଅପରାଧ ଅଟେ। ଆଭ୍ୟନ୍ତରୀଣ ତଦନ୍ତ ପୁରା ହେବା ପରେ ନିରବ ମୋଦୀ  ବିରୋଧରେ ନୂତନ ଏଫଆଇଆର ଦାୟର କରାଯିବ।

By Manas

Related Post