Fri. Sep 4th, 2026

ନାଚ ବନ୍ଦ କରିବାରୁ ନର୍ତ୍ତକୀଙ୍କୁ ଗୁଳି ମାରିଥିବା ଅଭିଯୁକ୍ତ ଗିରଫ

212 Views

ଆଗ୍ରା: ଉତ୍ତର ପ୍ରଦେଶର ଚିତ୍ରକୂଟ ଜିଲ୍ଲାରେ ଗୋଟାଏ ଗାଁ ବାହାଘରରେ ମଞ୍ଚ ଉପରେ ନୃତ୍ୟ ପରିବେଶଣ କରୁଥିବା ଜଣେ ୨୭ ବର୍ଷୀୟ ନର୍ତ୍ତକୀ ଦମ୍‌ ନେବାକୁ ଅଟକି ଯିବାରୁ ତାଙ୍କ ମୁହଁରେ ଛଅ ଦିନ ତଳେ ଗୁଳିମାଡ଼ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ସ୍ଥାନୀୟ ଗ୍ରାମ ମୁଖିଆ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଶୁକ୍ରବାର ଦିନ ପୁଲିସ ଗିରଫ କରିଛି। ସେବେ ଠାରୁ ଏହି ଘଟଣାର ଭିଡିଓ କ୍ଲିପ୍‌ ଭାଇରାଲ୍‌ ହୋଇ ଚାଲିଥିଲା।

ମୁହଁରେ ଗୁଳିମାଡ଼ ଖାଇ ଆହତ ହୋଇଥିବା ଯୁବତୀ ହେଉଛନ୍ତି ହୀନା ଦେବୀ। ଗିରଫ ହୋଇଥିବା ଗାଁ ମୁଖିଆ ହେଉଛନ୍ତି ଟିକ୍‌ରା ଗାଁର ୪୫ ବର୍ଷିୟ ସୁଧୀର ସିଂହ ଏବଂ ତାଙ୍କର ୫୦ ବର୍ଷିୟ ଆତ୍ମୀୟ ଫୁଲ ସିଂହ।

ପୁଲିସ କହିବା ଅନୁସାରେ, ନଭେମ୍ବର ୩୦ ତାରିଖ ଦିନ ସୁଧୀର ସିଂହ ନିଜ ଝିଅ ବାହାଘର ଉପଲକ୍ଷେ ଗୋଟାଏ ଅର୍କେଷ୍ଟ୍ରା ଆଣିଥିଲେ। ସେଥିରେ ଦଳେ ଯୁବତୀ ମଞ୍ଚ ଉପରେ ନୃତ୍ୟ ପରିବେଶଣ କରୁଥିଲେ। ଦୀର୍ଘ ସମୟ ଅନବରତ ନାଚ କରିବା ପରେ କ୍ଲାନ୍ତ ହୋଇପଡ଼ିବାରୁ ହୀନା କ୍ଷଣିକ ପାଇଁ ଅଟକି ଗଲେ। ଏହା ଦେଖି ଫୁଲ ସିଂହ ତାଙ୍କ ଉପରକୁ ଗୁଳି ଚଳାଇଲେ। ଫଳରେ ଗୁଳି ଛିଡ଼ିକି ଯାଇ ହୀନା ଦେବୀ ଏବଂ ସେଠାରେ ଉପସ୍ଥିତ ଥିବା ଦୁଇ ବ୍ୟକ୍ତି ମିଥିଳେଶ ଏବଂ କମଳେଶଙ୍କ ଦେହରେ ବାଜିଥିଲା।

ହୀନା ଦେବୀଙ୍କ ହନୁହାଡ଼ରେ ଗୁଳିମାଡ଼ ହୋଇଥିବାରୁ ଅସ୍ତ୍ରୋପଚାର ନିମନ୍ତେ ତାଙ୍କୁ ଲକ୍ଷ୍ନୌର ଏସ୍‌ଜିପିଜିଆଇରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଗୁଳିକାଣ୍ଡ ପରେ ନୃତ୍ୟ କାର୍ଯ୍ୟକ୍ରମ ବନ୍ଦ ହୋଇଗଲା। ଫୁଲ ସିଂହ ମଧ୍ୟ ଗାଁରୁ ଫେରାର ହୋଇଗଲେ। ଗାଁ ମୁଖିଆ ତାଙ୍କୁ ଫେରାର ହେବାରେ ସହାୟତା କରିଥିଲେ ବୋଲି ପୁଲିସ କହିଛି।

By amfnews

Related Post