Fri. Jul 3rd, 2026

ନବୀନଙ୍କ ଅନୁରୋଧ,“ଫସି ରହିଥିବା ଓଡ଼ିଆଙ୍କୁ ସାହାଯ୍ୟ କର”

231 Views

ଭୁବନେଶ୍ୱର : ଲକ୍‌ଡାଉନ୍‌ ଯୋଗୁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇ ଫସି ରହିଛନ୍ତି ଅନେକ ଓଡ଼ିଆ। ସେମାନେ ଏବେ ଓଡ଼ିଶା ଫେରିବାକୁ ବିଭିନ୍ନ ସୋଶାଲ ମିଡ଼ିଆରେ ଆକୁଳ ନିବେଦନ କରୁଛନ୍ତି। ଏନେଇ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି।
ଫସି ରହିଥିବା ଓଡ଼ିଆଙ୍କୁ ସାହାଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାହାରର ଓଡ଼ିଆ ସଂଗଠନକୁ ଅନୁରୋଧ କରିଛନ୍ତି। ଏକ ଭିଡିଓ ଜାରି କରି ନବୀନ ଏହି ଅନୁରୋଧ କରିଛନ୍ତି।

ଭିଡିଓରେ ନବୀନ କହିଛନ୍ତି ଯେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇ ଦିଆଯାଉ। ଏହି ବାବଦର ଯେଉଁ ଟଙ୍କା ଖର୍ଚ୍ଚ ହେବ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯିବ।

ଗତ ଗୁରୁବାର ନବୀନ ଫସି ରହିଥିବା ଓଡ଼ିଆଙ୍କ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଚିଠି ଲେଖିଥିଲେ। ଏହାଛଡ଼ା ଓଡ଼ିଆ ଭାଇ ଓ ଭଉଣୀଙ୍କ ସୁରକ୍ଷା ଏବଂ ଖାଇବା ପିଇବାରେ ଯାହା ଅର୍ଥ ଦରକାର ଓଡ଼ିଶା ସରକାର ଭରଣା କରିବେ ବୋଲି କହିଥିଲେ।

ସୂଚନାଯୋଗ୍ୟ, ରାଜ୍ୟ ବାହାରେ ଫସିରହିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ଗତକାଲି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏପରିକି ସେମାନଙ୍କୁ କିପରି ଉଦ୍ଧାର କରାଯାଇପାରିବ ସେଥିପାଇଁ ହେଲ୍‌ପ ଲାଇନ ନମ୍ବର ଜାରି କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

By amfnews

Related Post