Fri. Jul 3rd, 2026

ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ ଅମିତ ଶାହ, ପରଷାଯିବ ଏସବୁ ଓଡ଼ିଆ ଖାଦ୍ୟ

167 Views

ଭୁବନେଶ୍ବର : ଲୋକସେବା ଭବନର ସମ୍ମେଳନ କକ୍ଷରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୪ତମ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ପରେ ନବୀନ ନିବାସରେ ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଛି । ଆଜି ଗୋଟିଏ ଟେବୁଲରେ ଏକାଠି ହେବେ ଶାହ, ନବୀନ , ମମତା ଓ ନିତିଶ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିବେ। ଏଥିପାଇଁ ନବୀନ ନିବାସ ଆସିବେ ଶାହ ।

ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ମଧ୍ୟ ନବୀନ ଓ ଶାହାଙ୍କ ସହିତ ଯୋଗଦେବେ। ଖାଲି ସେତିକି ନୁହେଁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଏଥିରେ ଉପସ୍ଥିତ ରହିବେ।

ତେବେ ସେଠାରେ ଅତିଥିମାନଙ୍କୁ କେଉଁ ଖାଦ୍ୟ ପରିବେଷଣ କରାଯିବ, ତା’କୁ ନେଇ ଚର୍ଚ୍ଚା ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ,ନବୀନ ନିବାସରେ ଭାତ, ଡାଲି, ରୁଟି, ବାଇଗଣ ଭଜା,ଆଳୁ ମଟର ମସଲା, ମାଛ ବେସର, ପାଂପଡ଼, ଦହି ରାଇତା, ଟମାଟୋ ଚଟଣି, ଗୁଚି ପନିର, ବୁନ୍ଦି ରାଇତା, ଛେନାପୋଡ଼ ଏବଂ ରସମଲାଇ ଆଦି ସ୍ବାଦିଷ୍ଟ ଖାଦ୍ୟ ଖାଇବାକୁ ଦିଆଯିବ। ଏସବୁ ଖାଦ୍ୟ ସଂପୂର୍ଣ୍ଣ ଘରୋଇ ଶୈଳୀରେ ପ୍ରସ୍ତୁତ ହୋଇଥିବା ଜଣାଯାଇଛି।

ଏସବୁକୁ ଦେଖିଲେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଗୋଟିଏ ଟେବୁଲରେ ବସି ମଧ୍ୟାହ୍ନ ଭୋଜନ କରିବା ରାଜନୈତିକ ଚର୍ଚ୍ଚାକୁ ଜୋର କରିଛି । ତେବେ ନବୀନଙ୍କ ସହିତ ଶାହା, ମମତା ଓ ନିତିଶଙ୍କ ଗୋଟିଏ ଟେବୁଲରେ ଏକାଠି ହେବା ଘଟଣାକୁ ଔପଚାରିକତା ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ।

By amfnews

Related Post