Wed. Sep 30th, 2026

ନବରଙ୍ଗପୁରରେ ଉତ୍ତେଜନା, ଟାୟାର ଜାଳି ରାସ୍ତା ରୋକ କଲେ ଗ୍ରାମବାସୀ

394 Views

ନବରଙ୍ଗପୁର : ଶନିବାର ରାତିରେ କୋଡ଼ିଙ୍ଗା ପୁଲିସ ହାତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରି କୋଡ଼ିଙ୍ଗା ଥାନା ପରିସରରେ ରବିବାର ପୂର୍ବାହ୍ନରେ ଉତ୍ତେଜକ ପରିସ୍ଥିତି ସୃଷ୍ଟି ହୋଇଛି।

ଅଭିଯୁକ୍ତଜଣକ ହେଉଛନ୍ତି ଡାବୁଗାଁ ଥାନା ପଞ୍ଜରାଗୁଡ଼ା ଗାଁର ୬୨ ବର୍ଷିୟ ଗୋବର୍ଦ୍ଧନ ବିନ୍ଧାଣୀ। ଗତକାଲି କୋଡ଼ିଙ୍ଗା ଥାନା ଅଧୀନସ୍ଥ ଖାତିଗୁଡ଼ା ସାପ୍ତାହିକ ହାଟରୁ ‘କୁକୁଡ଼ା ଗାଲି’ ଜୁଆଖେଳରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ ଗୋବର୍ନ୍ଧନ ଏବଂ ୪୫ ବର୍ଷୀୟ କମଳୁ ହରିଜନଙ୍କୁ ଉଠାଇ ନେଇଥିଲା। କଡ଼ିଙ୍ଗା ଥାନାରେ ରାତିରେ ସେମାନଙ୍କୁ ଖାଇବାକୁ ଦେବା ପରେ କସାଗୁମୁଡ଼ା ଥାନାକୁ ନେଇଥିଲେ। ରାତାରାତି ସେଠାରୁ ଫେରିବା ବାଟରେ ଗୋବର୍ଦ୍ଧନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେଇଥିଲା। କମଳୁ ମଧ୍ୟ ଆହତ ହୋଇଥିଲେ। ଦୁହିଁଙ୍କୁ ଦୁଇଟି ଅଲଗା ଗାଡ଼ିରେ ନବରଙ୍ଗପୁର ଡାକ୍ତରଖାନାକୁ ନିଆଯାଇଥିଲା।

ସେଠାରେ କମଳୁ ଚିକିତ୍ସାଧୀନ ଥିବା ବେଳେ ଗୋବର୍ଦ୍ଧନଙ୍କୁ ବିଶାଖାପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। 
କିନ୍ତୁ, ସେତେବେଳକୁ ଗୋବର୍ଦ୍ଧନଙ୍କର ମୃତ୍ୟୁ ଘଟିସାରିଥିଲା ବୋଲି ତାଙ୍କ ପରିବାର ଓ ଗାଁ ଲୋକେ କୌଣସି ବିଶ୍ୱସ୍ତସୂତ୍ରରୁ ଖବର ପାଇବା ପରେ ଉତ୍‌କ୍ଷିପ୍ତ ହୋଇ କୋଡ଼ିଙ୍ଗା ଥାନାରେ ପହଞ୍ଚି ଗୋବର୍ଦ୍ଧନଙ୍କୁ ଫେରାଇ ଦିଅ ବୋଲି ଦାବି କରିଥିଲେ।

ପୁଲିସ ସେମାନଙ୍କୁ ଗୋବର୍ଦ୍ଧନଙ୍କ ବିଷୟରେ କୌଣସି ସୂଚନା ନ ଦେବାରୁ ସେମାନଙ୍କ ସନ୍ଦେହ ଅଧିକ ଦୃଢ଼ ହୋଇଥିଲା ଓ ପ୍ରତିବାଦରେ ସେମାନେ ଥାନା ସମ୍ମୁଖରେ ପୁରୁଣା ଟାୟାର ଜାଳି ରାସ୍ତାରୋକ କରିଛନ୍ତି।

By amfnews

Related Post