Thu. Jun 11th, 2026

ନବମଶ୍ରେଣୀ ଛାତ୍ରଙ୍କ ନୂଆ ଉଦ୍ଭାବନ, ଅଧିକ ଧୂଆଁ ବାହାରିଲେ ଚାଲିବନି ବାଇକ୍‌

190 Views

ବଅଁରପାଳ: ବଅଁରପାଳ ବ୍ଳକ୍‌ ଗଡ଼ସନ୍ତ୍ରୀ ନେହେରୁ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଆୟୁଷ ଆର୍ଯ୍ୟନ୍‌ ବିଶ୍ୱାଳଙ୍କର ନୂତନ ଯନ୍ତ୍ର ଅଞ୍ଚଳ‌ରେ ଆଲୋଚ୍ୟର ବିଷୟ ହୋଇଛି। ଏହି ଯନ୍ତ୍ର ବ୍ୟବହାର ଦ୍ବାରା ବାଇକ୍‌ ଜନିତ ପ୍ରଦୂଷଣ ନିୟନ୍ତ୍ରଣ କରିହେବ ବୋଲି ଜଣାପଡ଼ିଛି।

ଗତକାଲି କୁଇଓ ହାଇସ୍କୁଲ୍‌ରେ ଆୟୋଜିତ ବ୍ଲକ୍‌ସ୍ତରୀୟ ବିଜ୍ଞାନମେଳାରେ ଆୟୁଷଙ୍କ ପ୍ରକଳ୍ପ ପ୍ରଦର୍ଶିତ ‌ହୋଇ ସମସ୍ତଙ୍କ ମନକୁ ଛୁଇଁଥିଲା। ସୂଚନା ଅନୁଯାୟୀ, ବାୟୁ ପ୍ରଦୂଷଣ ଏବେ ଚିନ୍ତାଜନକ ଅବସ୍ଥାରେ ପହଞ୍ଚିଛି। ଗାଡ଼ି ମଟର ଦ୍ବାରା ହେଉଥିବା ପ୍ରଦୂଷଣର ମାତ୍ରା ମଧ୍ୟ କମ୍ ନୁହେଁ। ବାଇକ୍‌ ଦ୍ବାରା ହେଉଥିବା ପ୍ରଦୂଷଣ କିପରି ରୋକିହେବ ସେଥିପାଇଁ ଆୟୁଷ ଚିନ୍ତା କରୁଥିଲେ। ସ୍କୁଲ୍‌ ବିଜ୍ଞାନ ଶିକ୍ଷକ ବିଜୟ କୁମାର ଧୀରଙ୍କ ସହଯୋଗରେ ସେ ନୂଆ ଯନ୍ତ୍ରଟିଏ ତିଆରି କରିବାରେ ସକ୍ଷମ ହୋଇଛନ୍ତି।ଏହି ଯନ୍ତ୍ରରେ ଏକ କାଚ ଲାଗିଛି। ବାଇକ୍‌ରେ ବ୍ୟବହାର ପରେ ସେଥିରୁ ଅଧିକ ଧୂଆଁ ବାହାରିଲେ କାଚ କଳା ପଡ଼ିଯିବ। କାଚ ଭିତରଦେଇ ଆଲୋକ ଯାଇପାରିବ ନାହିଁ। ଫଳରେ ଛାଏଁ ଛାଏଁ ବାଇକ୍‌ ଇଞ୍ଜିନ ବନ୍ଦ ହୋଇଯିବ। ମରାମତି ପରେ ଇଞ୍ଜିନ ପୁନଃକାର୍ଯ୍ୟକ୍ଷମ ହେବ। ପ୍ରକଳ୍ପଟି ବ୍ଲକ୍‌ ସ୍ତରରେ ଦ୍ବିତୀୟ ସ୍ଥାନ ଲାଭ କରିଛି। ଏହି ସଫଳତା ପାଇଁ ସ୍କୁଲ୍‌ ପ୍ରଧାନ ଶିକ୍ଷକ ଆର୍ତ୍ତତ୍ରାଣ ସାମଲ ଆୟୁଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

By amfnews

Related Post