Fri. Jul 24th, 2026

ନଦୀରେ ଗାଧୋଇବା ବେଳେ ହଠାତ୍‌ ହେଲା ବିସ୍ଫୋରଣ

184 Views

ଫୁଲବାଣୀ :  ନଦୀ ଭିତରେ ଘଟିଲା ବିସ୍ଫୋରଣ । ଏହି ବିସ୍ଫୋରଣ ଯୋଗୁ ଉକ୍ତ ସମୟରେ ନଦୀରେ ଗାଧୋଉଥିବା ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଏପରି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ଗତକାଲି ଘଟିଛି।

ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଜଣକ ଗତକାଲି କଲେଜ ଛକ ନିକଟ ସାଲୁଙ୍କୀ ନଦୀରେ ଗାଧୋଉଥିଲେ। ଏହି ସମୟରେ ହଠାତ୍‌ ନଦୀ ଭିତରେ ବିସ୍ଫୋରଣ ହୋଇଥିଲା। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ନଦୀରୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଫୁଲବାଣୀ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ବିସ୍ଫୋରଣରେ ଉକ୍ତ ବ୍ୟକ୍ତିଙ୍କ ଡାହାଣ ହାତ ଛିଣ୍ଡି ଯାଇଥିବା ବେଳେ ମୁହଁ ଓ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ତାଙ୍କ ଘର ବିଶିପଡା ମାଝିପଦର ଗାଁରେ ବୋଲି ଜଣାଯାଇଛି । କିଛି ଦିନ ହେବ ସେ କଲେଜ ଛକ ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ । ସେ ଜଣେ ରାଜମିସ୍ତ୍ରୀ ବୋଲି ସୂଚନା ମିଳିଛି।

ନଦୀରେ ମାଛ ଧରିବା ପାଇଁ କେହି ବିସ୍ଫୋରକ ଖଞ୍ଜିଥିବାରୁ ଏଭଳି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି।

By amfnews

Related Post