Fri. May 15th, 2026

ନଗଡ଼ା ସ୍କୁଲ୍‌ ବନ୍ଦ : ବସ୍ତାନି ଛାଡ଼ିଲେ ୨୫ ପିଲା

200 Views

କାଳିଆପାଣି : ଆସନ୍ତାକାଲି ୭୨ତମ ସ୍ୱାଧୀନତା ଦିବସ। ହେଲେ ନଗଡ଼ା ପଡ଼ୋଶୀ ଗାଁ ତୁମୁଣି ସ୍କୁଲ୍‌ରେ ତ୍ରିରଙ୍ଗା ଉଡ଼ିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦି’ମାସ ହେଲାଣି ସ୍କୁଲ୍‌କୁ ପିଲା ଆସୁନାହାନ୍ତି। ଏଠାକାର ଏକମାତ୍ର ଶିକ୍ଷୟିତ୍ରୀଙ୍କୁ ଛଟେଇ କରିଦିଆଯାଇଛି। ଦେଢ଼ବର୍ଷ ତଳୁ ଅଣ ଆବାସିକ ସେତୁ ପାଠ୍ୟକ୍ରମ(ଏନ୍‌ଆର୍‌ବିସି) ମାଧ୍ୟମରେ ଏଠାରେ ଖୋଲାଯାଇଥିବା ଏକମାତ୍ର ସ୍କୁଲ ଏବେ ବନ୍ଦ୍‌ ହୋଇଯାଇଛି।

ଏହି ଗାଁର ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ମଧ୍ୟମରେ ପଢ଼ୁଥିବା ୧୬ ଜଣ ବାଳିକାଙ୍କ ସମେତ ୨୫ ଜଣ ଶିଶୁଙ୍କ ପାଠରେ ଡୋରି ବନ୍ଧା ହୋଇଛି। ପିଲାଏ ଏଣେତେଣେ ବୁଲୁଛନ୍ତି। ସେମାନଙ୍କ ଗରିବ ବାପାମାଆ ପିଲାଙ୍କୁ ନେଇ ବଗାଳିଆ(ବାର୍ଷିକ ଚୁକ୍ତି ଭିତ୍ତିରେ କିଣା ଚାକର) ଯୋଗାଡ଼ରେ ଥିବା ଜଣାପଡ଼ିଛି। କେବଳ ଜୁଆଙ୍ଗ ଜନଜାତି ବସବାସ କରୁଥିବା ନଗଡ଼ା(ନଗଡ଼ା ଓ ଗୁହିଆଶାଳ ମୌଜା ଏବଂ ଓ ତୁମୁଣି ଓ ଅଶୋକଝର ଗାଁ) ସାମଗ୍ରିକ ବିକାଶ ପାଇଁ ଗତ ୨୦୧୬ ମସିହା ଜୁଲାଇ ମାସ ୨୨ ତାରିଖରୁ ଗଢ଼ା ଯାଇଥିବା ନଗଡ଼ା ଟାସ୍କ୍‌ଫୋର୍ସ ଅସହାୟତାର ଏଭଳି ଏକ ନଗ୍ନରୂପ ଏବେ ଲୋକଲୋଚନକୁ ଆସିଛି। ବରଜୁ ପ୍ରଧାନଙ୍କ ଝିଅ ଶଙ୍ଖମାରି, ମାଛୁଆ ପ୍ରଧାନଙ୍କ ଝିଅ ଆଲେମାଇ, ରାଜବ ପ୍ରଧାନଙ୍କ ଝିଅ ନିରି, କ୍ଷେତ୍ର ପ୍ରଧାନଙ୍କ ଝିଅ ରଜନୀ ଓ ପୁଅ ନାଗା, ଶଂଖାଳି ପ୍ରଧାନଙ୍କ ଝିଅ ମୁଖୀ ଓ ପୁଅ ମଙ୍ଗୁ, ପାଣ୍ଡୁ ପ୍ରଧାନଙ୍କ ଝିଅ ସାବିତ୍ରୀ, ରଘୁ ପ୍ରଧାନଙ୍କ ଦୁଇପୁଅ ପାଇକରା ଓ କହ୍ନେଇ, ରଘୁଆ ପ୍ରଧାନଙ୍କ ଝିଅ ଫୁଲମଣି ପ୍ରମୁଖ ପାଠ ପାଇଁ ଆଗ୍ରହୀ ଥିଲେ ମଧ୍ୟ ସୁଯୋଗ ନଥିବା ଅଭିଯୋଗ କରନ୍ତି।

By amfnews

Related Post